ବିଦ୍ୟାଳୟ ପାଲଟିଛି ଭୂତକୋଠି ; ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

Published By : Prameya-News7 Bureau | July 03, 2018 IST

ଭଙ୍ଗା ଦଦରା ଘର ଛାତ ଉପରେ ପଡିଛି ଗଛ । ଅଳିଆ ଆବର୍ଜନାରେ ଭରପୁର ରହି ଖାଁ ଖାଁ ଲାଗୁଛି ପରିବେଶ । ଏ କୌଣସି ଭୁତ କୋଠିର ଦୃଶ୍ୟ ନୁହଁ । ନା କୌଣସି ପିରତ୍ୟକ୍ତ ଘର । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପ୍ରଧାନପାଲି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ଏହି ସ୍କୁଲଟି ସଂପୂର୍ଣ୍ଣ ଧ୍ବଂସ ହୋଇପଡିଛି । ସ୍କୁଲ ଶ୍ରେଣୀ ଗୃହରେ ଉଇ ହୁଙ୍କା ରାଜ କରୁଥିବା ବେଳେ ଚଟ୍ଟାଣର ଅବସ୍ଥା ବେହାଲ । ଆଜବେଷ୍ଟର ଛାତ ସବୁ ଭାଙ୍ଗିରୁଜି ଚୁରମାର ହୋଇଥିବାରୁ ଅଭିଭାବକମାନେ ଭୟରେ ଛାତ୍ରଛାତ୍ରୀମାନଙ୍କୁ ଆଉ ସ୍କୁଲକୁ ଛାଡୁ ନାହାନ୍ତି । ବିଦ୍ୟାଳୟର ଏହି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଉଚ୍ଚ କତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଗ୍ରାମବାସୀମାନେ ବାଧ୍ୟ ହୋଇ ସ୍ଲୁଲରେ ତାଲା ପକାଇଛନ୍ତି । ଚଳିତ ବର୍ଷ ଖରା ଛୁଟି ପରେ ରାଜ୍ୟର ସମସ୍ତ ସ୍ଲୁଲ ଜୁନ ମାସ ୨୬ ତାରିଖରୁ ଖୋଲା ଯାଇ ପାଠ ପଢା ଆରମ୍ଭ ହୋଇସାରିଛି । ମାତ୍ର ପ୍ରଧାନପାଲିର ଏହି ବିଦ୍ୟାଳୟ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି । ଶିକ୍ଷକ ଶିକ୍ଷୟତ୍ରୀମାନେ ନିତି ଆସି ସ୍ଲୁଲ ଗେଟ ସମ୍ମୁଖରେ ଠିଆ ହେବା ସାର ହେଉଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିବା ଏହି ବିଦ୍ୟାଳୟରେ ପ୍ରାୟ ୮୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ବିଦ୍ୟାଳୟର ଏଭଳି ଅବସ୍ଥା ଛାତ୍ରଛାତ୍ରୀଙ୍କୁ ବଂଚିତ କରୁଛି ନିଜର ମୌଳିକ ଅଧିକାରରୁ । ବର୍ଷ ବର୍ଷ ଧରି ଏହି ବିଦ୍ୟାଳୟର ଏଭଳି ଅବସ୍ଥା ଯୋଗୁଁ ଅନେକ ଛାତ୍ରାଛାତ୍ରୀ ଏଠାରୁ ଅନ୍ୟ ଘରୋଇ ବିଦ୍ୟାଳୟରେ ନାମ ଲେଖାଉଥିବା ବେଳେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅପେକ୍ଷା କରିଛନ୍ତି କେବେ ପାଠପଢା ଆରମ୍ଭ ହେବ ଆମ ସ୍କୁଲରେ । ଅପର ପକ୍ଷରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଓ ଜିଲ୍ଲା ଶିକ୍ଷାଧିକାରୀ ଘଟଣାକୁ ସ୍ୱୀକାର କରି କଣ କହୁଛନ୍ତି ଆସନ୍ତୁ ଶୁଣିବା । ବିଦ୍ୟାଳୟ କତୃପକ୍ଷ ଜଣାଇଛନ୍ତି ସମସ୍ୟା ସଂପର୍କରେ । ଜିଲ୍ଲା ଶିକ୍ଷା ବିଭାଗ କହୁଛି ଅର୍ଥ ଆସିଲେ ହେବ ମରାମତି । ଏଭଳି ପରିସ୍ଥିତିରେ ସରକାରଙ୍କର ଶିକ୍ଷା ଅଧିକାର ଆଇନ ପ୍ରଧାନପାଲି ବିଦ୍ୟାଳୟରେ କେବେ କାର୍ଯ୍ୟକାରୀ ହେବ ତାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.