ଲକ୍ଷ୍ନୌ ୭/୯: ଉତ୍ତରପ୍ରଦେଶର କୁଶୀନଗରରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହା ପରେ ଅଭିଯୁକ୍ତକୁ ଲୋକେ ପିଟି ପିଟି ହତ୍ୟା କରି ଦେଇଛନ୍ତି। ଘଟଣାଟି ଘଟିଛି ତରୟାସୁଜାନ ଥାନା ଅଞ୍ଚଳର ରାମପୁର ବଙ୍ଗରା ଗାଁର। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି। ଏହା ସହିତ ୨ଜଣଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି।
କୁହାଯାଉଛି ଯେ ରାମପୁର ବଙ୍ଗରା ଗାଁ ବାସିନ୍ଦା ସୁଧୀର ସିଂହ ନିଜ ଘର ସାମନାରେ ବସିଥିଲେ। ସେତେବେଳେ ଗୋରଖପୁରର ଜଣେ ବ୍ୟକ୍ତି ତାଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲା। ଏଥିରେ ସୁଧୀର ସିଂହଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ଗୁଳିର ଶବ୍ଦ ଶୁଣି ଗାଁଲୋକେ ସେଠାରେ ପହଞ୍ଚି ଯାଇଥିଲେ ଏବଂ ଅଭିଯୁକ୍ତକୁ ଘେରି ଯାଇଥିଲେ। ସୁଧୀର ସିଂହ ବିହାରରେ ଶିକ୍ଷକତା କରନ୍ତି।
ଏହା ଦେଖି ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରିଥିଲା,କିନ୍ତୁ ଉତ୍ତେଜିତ ଲୋକେ ଅଭିଯୁକ୍ତକୁ ବାଡ଼ିରେ ପିଟିବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ପୋଲିସ୍ ପହଞ୍ଚି ଅଭିଯୁକ୍ତକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲା କିନ୍ତୁ କିଛି ଲାଭ ହୋଇନଥିଲା। ଲୋକେ ପୋଲିସ୍ ସାମନାରେ ଅଭିଯୁକ୍ତକୁ ପିଟି ପିଟି ହତ୍ୟା କରି ଦେଇଥିଲେ। ଏଯାଏଁ ଦୁର୍ବୃତ୍ତର ପରିଚୟ ମିଳିପାରିନାହିଁ।