ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ

Published By : Prameya-News7 Bureau | October 28, 2021 IST

ଖୋର୍ଦ୍ଧା ୨୮।୧୦: ଖୋର୍ଦ୍ଧା ଆଦର୍ଶ ଥାନା କୁମ୍ଭିଲୋ ଗ୍ରାମର ଯୁବକ ସନ୍ତୋଷ ବେହେରା ଗାଇ ଚରେଇବାକୁ ଯାଇ ଗତ ରବିବାରଠାରୁ ନିଖୋଜ । ଖୋର୍ଦ୍ଧା ଆଦର୍ଶ ଥାନାରେ ଏନେଇ ନିଖୋଜ ଯୁବକଙ୍କ ବାପା ଗତ ସୋମବାର ଲିଖିତ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ଯୁବକକୁ ଖୋଜି ବାହାର କରିବାରେ ବିଫଳ ହୋଇଛି। ନିଖୋଜ ଯୁବକକୁ ଖୋଜି ବାହାର କରିବା ଦାବିରେ ପରିବାର ଏବଂ ଗ୍ରାମବାସୀ ଖୋର୍ଦ୍ଧା ଏସପି ଅଫିସ୍ ଘେରାଉ ଇରିଛନ୍ତି।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଆଦର୍ଶ ଥାନା କୁମ୍ଭିଲୋ ଗ୍ରାମର ଯୁବକ ସନ୍ତୋଷ କୁମାର ବେହେରା ଗତ ରବିବାର ଦିନ ଗାଁ ଜଙ୍ଗଲକୁ ଗାଈ ଚରେଇବାକୁ ଯାଇଥିଲେ । ଗାଈମାନେ ଘରକୁ ଫେରିଲେ ମାତ୍ର ଯୁବକ ନିଖୋଜ ରହିଲେ । ପରିବାର ଲୋକେ ଏବଂ ଗ୍ରାମବାସୀ ଚାରିଆଡେ ଖୋଜାଖୋଜି କରିଥିଲେ ସୁଦ୍ଧା ଯୁବକଙ୍କ ପତ୍ତା ମିଳୁନି । ଏନେଇ ଗତ ୨୫ ତାରିଖରେ ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ନିଖୋଜ ଯୁବକଙ୍କ ବାପା ଲକ୍ଷ୍ମୀଧର ବେହେରା ।  ପୋଲିସ କିଛି ନ ଶୁଣିବାରୁ ନିଖୋଜ ଯୁବକଙ୍କ ପରିବାରବର୍ଗ ଏବଂ କୁମ୍ଭିଲୋ ଗ୍ରାମବାସୀ ଏସପି ଅଫିସ୍ ଘେରାଉ କରିଛନ୍ତି । ଘେରାଉରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ବରେ ହୋଇଥିଲା ପରେ ବିଜେଡିର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ସାମିଲ ହୋଇଛନ୍ତି । ନିଖୋଜ ଯୁବକକୁ କେହି ଅପହରଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ନିଖୋଜ ଯୁବକକୁ ଖୋଜି ବାହାର କରିବା ଦାବିରେ ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କୁମ୍ଭିଲୋ ଗ୍ରାମବାସୀ ଖୋର୍ଦ୍ଧା ଏସପି ଅଫିସ୍ ଘେରାଉ କରିଥିଲେ । ପରେ ଏସପି ଯୁବକକୁ ଖୋଜି ବାହାର କରିବା ନେଇ ପ୍ରତିଶ୍ରୁତି ଦେଲା ପରେ ଘେରାଉ ପ୍ରତ୍ୟାହୃତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.