୨୦୧୬ ମସିହାରୁ ଆରମ୍ଭ ହୋଇଥିଲା, ଏପର୍ଯ୍ୟନ୍ତ ହୋଇନି ସମ୍ପୂର୍ଣ୍ଣ : ଅଙ୍ଗନବାଡି ଗୃହ ନିର୍ମାଣ ଶେଷ କରିବାକୁ ଗ୍ରାମବାସୀଙ୍କ ଦାବି

Published By : Prameya-News7 Bureau | July 26, 2021 IST

ଭଦ୍ରକ ୨୬।୭: କୁନି କୁନି ପିଲାଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । କିନ୍ତୁ ଅନୁଧ୍ୟାନ ଆଉ ଆକଳନର ଅଭାବ ପାଇଁ ସବୁ ଯୋଜନା ବାଟବଣା । ଏମିତି କି ୨୦୧୬ ମସିହାରୁ ନିର୍ମାଣ ହେଉଥିବା ଅଙ୍ଗନବାଡି କେନ୍ଦ୍ର ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ସେଥିପାଇଁ ଏବେ ଗାଁରେ ମେଳି ବାନ୍ଧିଛି ଆଉ ଦାବି ହେଉଛି ଯଥାଶୀଘ୍ର ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କର । ଭଦ୍ରକ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରର ଏପରି ଅଧାପନ୍ତରିଆ ଅବସ୍ଥା । ପିଲାଙ୍କ ପାଇଁ ନିର୍ମିତ ଏହି ଅର୍ଦ୍ଧନିର୍ମିତ କେନ୍ଦ୍ର ଏବେ ଅସାମାଜିକ ଲୋକଙ୍କ ପାଇଁ ଆଡ୍ଡାସ୍ଥଳୀ ପାଲଟିଛି ।

{"id":486111,"sizeSlug":"large","linkDestination":"none"}

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳି ପଞ୍ଚାୟତର ବକ୍ସିପାଟଣା ଓ ଗଣେଶନଗର ଗାଁର ଅଙ୍ଗନବାଡ଼ି କେନ୍ଦ୍ର । ଏହି ଅଙ୍ଗନବାଡି କେନ୍ଦ୍ରଟିର ୨୦୧୬ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ଏବେ ପର୍ଯ୍ୟନ୍ତ କାମ ଶେଷ ହେବାର ନାଁ ଧରୁନି ।  ବକ୍ସିପାଟଣା ଓ ଗଣେଶନଗର ଗାଁ ପାଇଁ ୫ ବର୍ଷ ତଳେ ଅସୁରାଳି ଷ୍ଟ୍ରକଚର ପଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିଲା । ଦୁଇ ଗାଁରେ ପ୍ରାୟ  ୩୦୦ ପରିବାର ବାସ କରନ୍ତି । ଆଉ ପ୍ରାୟ ୨୩ ଛାତ୍ରଛାତ୍ରୀ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢନ୍ତି । ଏମାନଙ୍କ ପୌଷ୍ଟିକ, ବୌଦ୍ଧିକ ବିକାଶ, ମହିଳାଙ୍କୁ ପୁଷ୍ଟିହୀନତାରୁ ରକ୍ଷା କରିବା ଓ କିଶୋରୀମାନଙ୍କ ସ୍ବାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଅଙ୍ଗନବାଡ଼ି କେନ୍ଦ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହାକୁ ନଜରରେ ରଖି ଅସୁରାଳୀ ପଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଛି । କିନ୍ତୁ ସେତେବେଳେ ଠିକା ନେଇଥିବା ବ୍ୟକ୍ତି ଜଣଙ୍କ ଘର ତିଆରି କରି ଛାତ ପକାଇଛନ୍ତି। ମୁଖ୍ୟ କବାଟ ଲଗାଇଥିଲେ ବି ଝରକା କବାଟ ଲଗାଇ ନାହାନ୍ତି । ଏପରିକି ଘରର ପ୍ଲାଷ୍ଟର ନ କରି ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ବିଲ୍ କରାଇ ନେଇଛନ୍ତି ବୋଲି ସୂଚନା ମିଳିଛି । ଏବେ ଗ୍ରାମବାସୀ ମେଳି ବାନ୍ଧିଛନ୍ତି ଆଉ ସମସ୍ତେ ଗୋଟିଏ ଦାବି କରିଛନ୍ତି ଯେ ଯଥାଶୀଘ୍ର ଏହି କାମକୁ ସମ୍ପୂର୍ଣ୍ଣ କର ।

{"id":486112,"sizeSlug":"large","linkDestination":"none"}

ଅଙ୍ଗନବାଡି କେନ୍ଦ୍ରଟି ସମ୍ପୂର୍ଣ୍ଣ ହୋଇନଥିବା ଓ ଝରକା ଲାଗି ନଥିବାରୁ ଅସାମାଜିକ ଲୋକମାନେ ରାତିରେ ଏହି ଘରେ ପଶି ଆଡ୍ଡା କରୁଛନ୍ତି । ନିଶାଦ୍ରବ୍ୟ ସେବନ କରିବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ନିଜସ୍ଵ ଅଙ୍ଗନବାଡି ଘର ନଥିବାରୁ ଅଙ୍ଗନବାଡ଼ି ଦିଦି ବାର ଦୁଆର ଶୁଣ୍ଢି ପିଣ୍ଢା ହୋଇ ପିଲାଙ୍କୁ ପଢ଼ାଉଛନ୍ତି । ନିଜ ଘରେ ଅଫିସ କାଗଜପତ୍ର ଓ ପିଲାଙ୍କୁ ଦିଆଯିବାକୁ ଆସୁଥିବା ରାସନ ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ରଖୁଛନ୍ତି । ଏଥିପାଇଁ ଅନେକ ସମୟରେ ଗଣ୍ଡଗୋଳ ମଧ୍ୟ ଉପୁଜୁଛି । ଏଣୁ ଅଙ୍ଗନବାଡ଼ି କେନ୍ଦ୍ରକୁ ସମ୍ପୂର୍ଣ୍ଣ କରି ଅଙ୍ଗନବାଡ଼ି କର୍ମଚାରୀଙ୍କୁ ହସ୍ତାନ୍ତର କରିବାକୁ ଗାଁ ଲୋକେ ଦାବି କରିଛନ୍ତି । ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ, ସ୍ଥାନୀୟ ଲୋକେ କୌଣସି ଅଭିଯୋଗ କରିନାହାନ୍ତି କିନ୍ତୁ କାମ ସମ୍ପୂର୍ଣ୍ଣ ପାଇଁ ଚେଷ୍ଟା କରିଛି । ସେହିପରି ବ୍ଲକ ଅଧ୍ୟକ୍ଷା କହିଛନ୍ତି ଯେ ଖୁବଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଓ ଯେଉଁ ବ୍ୟକ୍ତି କାର୍ଯ୍ୟାଦେଶ ନେଇ କାମ ସମ୍ପୂର୍ଣ୍ଣ କରିନାହାନ୍ତି ସେ ଦିଗରେ ମଧ୍ୟ ତଦନ୍ତ ହେବ । ତେବେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.