ଗ୍ରାମବାସୀ କାଟିଦେଲେ ସିମେଣ୍ଟ କାରଖାନାର କନଭେୟର ବେଲ୍ଟ, ଘଟଣାସ୍ଥଳରେ ଉତ୍ତେଜନା

Published By : Prameya-News7 Bureau | December 23, 2020 IST

ରାଉରକେଲା ୨୩।୧୨: ସିମେଣ୍ଟ କାରଖାନାରେ ଉତ୍ତେଜନା । ଦୁର୍ବୃତ୍ତ କାଟିଦେଲେ କନଭେୟର ବେଲ୍ଟ । ସୁନ୍ଦରଗଡ ରାଜଗାଙ୍ଗପୁର ଭାରତ ସିମେଣ୍ଟ କମ୍ପାନୀର ଲାଞ୍ଜିବେର୍ଣ୍ଣା ଚୂନ ମାଇନ୍ସରୁ ରାଜଗାଙ୍ଗପୁର ସିମେଣ୍ଟ କାରଖାନାକୁ ଯାଉଥିବା କନଭେୟର ବେଲ୍ଟକୁ ମଙ୍ଗଳବାର ଅପରାହ୍ନରେ କାଟିଦେବା ଫଳରେ କାରଖାନାକୁ ଯାଉଥିବା ଚୂନ ପଥର ପରିବହନ ବନ୍ଦ ହୋଇଯାଇଥିଲା ।

କମ୍ପାନୀ ପକ୍ଷରୁ ଟେକ୍ନିକାଲ ଟିମ୍ ମରାମତି କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିବାରୁ ସିଆରଟୋଲି ଗ୍ରାମବାସୀ ସେଠାରେ ପହଞ୍ଚି କାର୍ଯ୍ୟ ବନ୍ଦ କରିବାକୁ କହିବା ସହ ଗଣ୍ଡଗୋଳ କରିଥିଲେ । ପରେ ମାଇନ୍ସର ମୁଖ୍ୟ ସରୋଜ କୁମାର ରାଉତ ଓ ସୁରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଅଜିତ ପାଇରା ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ପାଇଁ ଗ୍ରାମବାସୀଙ୍କୁ ଡକାଇଥିଲେ । ଆଲୋଚନା ପରିବର୍ତ୍ତେ ସିଆରଟୋଲିର କିଛି ଲୋକ ଏହି ଦୁଇ ଅଫିସରଙ୍କୁ ମାଡ଼ ମାରିଥିଲେ ।

ଖବର ପାଇ ଘଟଣାସ୍ଥଳରେ କମ୍ପାନୀର ସୁରକ୍ଷାକର୍ମୀ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ହେବାରୁ ଉଭୟଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ରାଜଗାଙ୍ଗପୁର ଥାନାରେ ଏନେଇ କମ୍ପାନୀ ପକ୍ଷରୁ ଲିଖିତ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ କମ୍ପାନୀର କନଭେୟର ବେଲ୍ଟ ମରାମତି ପରେ ଚୂନ ମାଇନ୍ସରୁ ଚୂନ କମ୍ପାନୀକୁ ଚୂନ ପରିବହନ ସ୍ବାଭାବିକ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.