କ୍ରୁର, ବର୍ବର, ହୃଦୟ ବିଦାରକ.. ଶତାଧିକ କୁକୁରଙ୍କୁ ବିଷ ଦେଇ ପୋତିଦେଲେ ଗାଁ ଲୋକେ

Published By : Prameya-News7 Bureau | September 09, 2021 IST

ଶିବମୋଗା ୯/୦୯: ପଶୁଙ୍କ ପ୍ରତି ମଣିଷର ପାଶବିକ ଆଚରଣ। ମାଙ୍କଡ଼ଙ୍କ ପରେ ଏବେ ୧୦୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରି ପୋତିଦେଇଛନ୍ତି ଗାଁ ଲୋକେ। ଗ୍ରାମ ପଞ୍ଚାୟତର ନିର୍ଦେଶ କ୍ରମେ ଗାଁ ଲୋକେ କୁକୁରଙ୍କୁ ବିଷ ଦେଇଥିବା ଜଣାପଡ଼ିଛି। ଏବେ ପୋଲିସ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ଛାନଭିନ ଚଳାଇଛି। ପଶୁମାନଙ୍କ ପ୍ରତି ମଣିଷର ଏହି କ୍ରୁରତା କର୍ଣ୍ଣାଟକର ଶିବମୋଗା ଜିଲ୍ଲା ଅନ୍ତର୍ଗତ ଭଦ୍ରାବତୀ ଅଞ୍ଚଳରେ ଦେଖିବାକୁ ମିଳିଛି।

ତେବେ ଏନେଇ ଖବର ମିଳିବା ପରେ ଶିବମୋଗା ଆନିମଲ ରେସକ୍ୟୁ କ୍ଲବର ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ମାଟିରେ ପୋତାଯାଇଥିବା କୁକୁରଙ୍କ ଶବ ବାହାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିଲା କୁକୁରମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କମ୍ବାଦାଲୁ-ହୋସୁର ପଞ୍ଚାୟତର ଅଧିକାରୀମାନେ କୁକରଙ୍କୁ ବିଷ ଦେବାକୁ କହିଥିଲେ।

ସେପେଟ ଆନିମଲ ଲଭରଙ୍କ ମତରେ କୁକୁରମାନଙ୍କୁ ବିଷ ଦେବା ପରେ ଜୀବନ୍ତ ପୋତି ଦେଇଥାଇ ପାରନ୍ତି ଗାଁ ଲୋକେ। ମୃତ୍ୟୁ ହୋଇଥିବା କୁକରଙ୍କ ସଠିକ୍‌ ସଂଖ୍ୟା ଜଣାପଡ଼ିନଥିବା ବେଳେ ଅତିକମରରେ ୧୦୦ରୁ ଅଧିକ ହେବ ବୋଲି କୁହାଯାଉଛି। ତେବେ କର୍ଣ୍ଣାଟକରେ ୧୫୦ ମାଙ୍କଡ଼ଙ୍କୁ ହତ୍ୟା କରାଯିବାର କେଇ ସପ୍ତାହ ପରେ ପୁଣି ଶତାଧିକ କୁକୁରଙ୍କୁ ଅତି ନିର୍ମମ  ଭାବେ ହତ୍ୟା କରାଯାଇଛି।  

ସୂଚନାଯୋଗ୍ୟ, ଭାରତରେ ପଶୁମାନଙ୍କ ପ୍ରତି ଅତ୍ୟାଚାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନିକଟରେ ଭାରତୀୟ ପଶୁ ସୁରକ୍ଷା ସଂସ୍ଥା(ଏଫ୍‌ଆଇଏପିଓ)ଓ ଅଲ୍‌ କ୍ରିଏଟର ଗ୍ରେଟ୍‌ ଆଣ୍ଡ ସ୍ମଲ୍‌(ଏସିଜିଏସ୍)ର ରିପୋର୍ଟ ଅନୁସାରେ, ୨୦୧୦ରୁ ୨୦୨୦ ମଧ୍ୟରେ ଭାରତରେ ପ୍ରାୟ ୫ ଲକ୍ଷ ପଶୁ ମଣିଷ ଦ୍ୱାରା ନିର୍ଯାତିତ ହୋଇଛନ୍ତି। ମଣିଷ ଦ୍ୱାରା ପଶୁ ଗୁରୁତର ଆହତ ହେବା, ପଙ୍ଗୁ ହେବା, ହତ୍ୟା, ଏମିତିକ ଦୁଷ୍କର୍ମର ଶିକାର ମଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.