ଲକ୍ ଡାଉନ୍ରେ ଗ୍ରାମବାସୀ ବାହାରକଲେ ରଥଯାତ୍ରା, ବିରୋଧ କରିବାରୁ ପୋଲିସକୁ ପଥରମାଡ
4/04/2020 at 6:36 PM

ମୁମ୍ବାଇ ୪।୪: ଲକ୍ ଡାଉନ୍ ସମୟରେ ଧାର୍ମିକ ଆୟୋଜନ ନାଁରେ ଲୋକମାନେ ଏକାଠି ହେବାର ଅନେକ ମାମଲା ରହିଛି । ସାମାଜିକ ଦୂରତାର ରକ୍ଷା କରିବା ନେଇ ପରାମର୍ଶ ପରେ ବି ଲୋକମାନେ ଏଭଳି କରୁଛନ୍ତି । ଏଭଳି ଏକ ଘଟଣା ମହାରାଷ୍ଟ୍ରର ସୋଲାପୁରରୁ ଦେଖିବାକୁ ମିଳିଛି । ଯେଉଁଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଶହ ଶହ ଲୋକ ଆସିଥିଲେ । କିନ୍ତୁ ଲକ୍ ଡାଉନ୍ ଯୋଗୁଁ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ଗ୍ରାମବାସୀ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏଥିରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ୧୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ୨୨ ଜଣଙ୍କୁ ଅଟକ ରଖାଯାଇଛି ।
ସୋଲାପୁରର ଭାଗାଦାରୀ ଗ୍ରାମରେ ଗ୍ରାମଦେବତା ପରମେଶ୍ବରଙ୍କ ପର୍ବ ପାଳନ କରାଯାଏ । ଏହି ପର୍ବ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଲକ୍ ଡାଉନ୍ ଯୋଗୁଁ ମନ୍ଦିରରେ ବନ୍ଦ ରହିଛି । ଏହି ଯାତ୍ରା ମଧ୍ୟ ବାତିଲ କରାଯାଇଥିଲା । କିନ୍ତୁ ରଥଯାତ୍ରା ଦିନ ପୋଲିସ କିଛି ଲୋକଙ୍କୁ ରଥ ପୂଜା କରିବାକୁ ଅନୁମତି ଦେଇଥିଲା । ପୂଜା ଆରମ୍ଭ ହେବା ମାତ୍ରେ ଗାଁର ଲୋକମାନେ ଏକତ୍ରିତ ହୋଇ ରଥଯାତ୍ରା ବାହାର କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଗାଁଲୋକମାନେ ପଥର ଫିଙ୍ଗିବା ଆରମ୍ଭ କରିଥିଲା ।
ଧାର୍ମିକ ଆୟୋଜନ ନାଁରେ ଗୋଟିଏ ସ୍ଥାନରେ ଏକାଠି ହେବା ନେଇ ଆଲୋଚନା ମଧ୍ୟ ହେଉଛି । ଅପ୍ରେଲ ୨ ତାରିଖରେ ରାମ ନବମୀରେ ତେଲେଙ୍ଗାନାରେ ମଧ୍ୟ ଏଭଳି କିଛି ଦେଖିବାକୁ ମିଳିଥିଲା । ରାଜ୍ୟର ଦୁଇ ମନ୍ତ୍ରୀ ରାମ ନବମୀ ପାଳନ କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ । ତେଲେଙ୍ଗାନାର ପରିବେଶ, ଆଇନ ଏବଂ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଲୋଲା ଇନ୍ଦ୍ରକରନ୍ ରେଡ୍ଡୀ ଏବଂ ଶ୍ରୀ ସୀତା ରାମଚନ୍ଦ୍ର ସ୍ବାମୀ ମନ୍ଦିରକୁ ଯାଇଥିଲେ । ପରିବହନ ବିଭାଗ ମନ୍ତ୍ରୀ ପୁବୱାଡା ଅଜୟ କୁମାର ମଧ୍ୟ ଉପସ୍ଥିତ ଥିଲେ । ଉଭୟ ମନ୍ତ୍ରୀ ସେମାନଙ୍କ ପରିବାର ସହିତ ମନ୍ଦିରକୁ ଯାଇଥିଲେ । ସେହି ସମୟରେ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା ।
ଏହାପୂର୍ବରୁ ମାର୍ଚ୍ଚରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହଜାର ହଜାର ଲୋକ ତବଲିଗୀ ଜମାତରେ ଯୋଗ ଦେଇଥିଲେ । ସେତେବେଳେ ଦିଲ୍ଲୀ ସରକାର ଗୋଟିଏ ସ୍ଥାନରେ ଏକାଠି ନହେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଜମାତରେ ବିଦେଶରୁ ଲୋକମାନେ ମଧ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରେ ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ । ଏଥିରେ ଯୋଗ ଦେଇଥିବା ତବଲିଗୀମାନେ କରୋନା ସଂକ୍ରମିତ ହୋଇଥିବା ଘଟମାମାନ ସାମ୍ନାକୁ ଆସୁଛି ।