ବାଲେଶ୍ଵର ନୀଳଗିରି ଅଂଚଳରେ ହାତୀ ଉପଦ୍ରବ ; ବନ କର୍ମଚାରୀଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା କଲେ ସ୍ଥାନୀୟଲୋକ
17/11/2018 at 9:00 AM

ବାଲେଶ୍ବର ୧୭|୧୧: ହାତୀ ପାଇଁ ହାତାହାତି । ବାଲେଶ୍ବର ନୀଳଗିରି ରେଞ୍ଜ୍ ରେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ହାତୀ ଘଉଡାଇବା ପାଇଁ ଆସିଥିବା ୧୫ରୁ ଅଧିକ ବନ କର୍ମଚାରୀଙ୍କୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି ଗ୍ରାମବାସୀ । କିଛି ଦିନ ଧରି ନୀଳଗିରି ଅଞ୍ଚଳକୁ ୫୭ଟି ହାତୀ ପଶି ଆସି ଉପଦ୍ରବ ଚଳାଇଛନ୍ତି । ହାତୀମୁଣ୍ଡା, ତେରଲଡିହି ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି । ହାତୀ ଆତଙ୍କରେ ଭୟରେ ଦିନ କାଟୁଛନ୍ତି ଲୋକେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବିସ୍ଫୋରକ ରୂପ ନେଇଥିଲା । ମଧ୍ୟରାତ୍ରିରେ ଗାଁଲୋକ ମିଳିତ ଭାବରେ ବନ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ଆକ୍ରମଣ କରିଥିବା ଗ୍ରାମବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବନ ବିଭାଗ ହାତୀ ଘଉଡାଇବାକୁ ଯିବାକୁ ମନା କରିଦେଇଛି ।