ଗାଈ ଗୋବରରେ ମହିଳାମାନେ ତିଆରି କରୁଛନ୍ତି ଏହିଭଳି ପ୍ରଡକ୍ଟ: ବିଭିନ୍ନ ରାଜ୍ୟକୁ ହେଉଛି ସପ୍ଲାଏ
6/01/2021 at 6:38 PM

ମେରଠ ୦୬/୦୧ : ଉତ୍ତର ପ୍ରଦେଶ ମେରଠରେ ମହିଳାମାନେ ଗାଈ ଗୋବରରେ ଏମିତି ଏକ ପ୍ରଡକ୍ଟ ତିଆରି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି। ଏହି ମହିଳାମାନେ ଗୋବରରେ ଏମିତି ଜିନିଷ ତିଆରି କରିଛନ୍ତି ଯେ ଲୋକେ ବର୍ତ୍ତମାନ ଏହାକୁ ପୂଜା, ହୋମ-ଯଜ୍ଞ, ବିବାହ-ବ୍ରତ ଭଳି ଶୁଭକାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଏହି ପ୍ରଡକ୍ଟ ତିଆରି କରି ମହିଳାମାନେ ମାଲାମାଲ ହେଉଛନ୍ତି।
ମେରଠ ଫଂଫୁଡା ଗାଁର ମହିଳାମାନେ ଗାଈ ଗୋବରରେ ତିଆରି କରୁଥିବା ଏହି ପ୍ରଡକ୍ଟର ଚାହିଦା ଦିଲ୍ଲୀ, ଉତ୍ତରାଖଣ୍ଡ, ପଞ୍ଜାବ, ଉତ୍ତର ପ୍ରଦେଶ ଭଳି ଅନେକ ରାଜ୍ୟରେ ରହିଛି। ଗୋବରରେ ଗଙ୍ଗାଜଳ ମିଶାଇ ଏତେ ପବିତ୍ର କରିଦେଇଛନ୍ତି।

ଗାଈ ଗୋବରରେ ଘଷି ତିଆରି କରି ତାକୁ ପ୍ୟାକେଟ କରି ବିକ୍ରି କରୁଛନ୍ତି। ଏହି ପ୍ୟାକେଟ୍ ଅନେକ ରାଜ୍ୟକୁ ସପ୍ଲାଏ ହେଉଛି। ଏହି ଘଷିର ଚାହିଦା ଏତେ ଅଧିକ ଯେ ଗାଁରେ ଦିନକୁ ପାଖାପାଖି ୨ ଲକ୍ଷରୁ ଅଧିକ ପ୍ୟାକେଟ ଘଷି ତିଆରି ହେଉଛି। ଘଷି ତିଆରି କରୁଥିବା ମହିଳା ସମ୍ପ୍ରଦାୟର ଅଧ୍ୟକ୍ଷା ରେଖା କହିଛନ୍ତି ଯେ ଆଜିକା ସମୟରେ ଏହା ମହିଳାମାନଙ୍କ ରୋଜଗାର ପନ୍ଥା ହୋଇଛି।
ଘର କାମ ସାରିବା ପରେ ଏହି ମହିଳାମାନେ ଏହି କାମରେ ଲାଗିଯାଆନ୍ତି। ମହିଳାମାନଙ୍କୁ ଏଥିରୁ ଭଲ ଲାଭ ମଧ୍ୟ ହେଉଛି। ରେଖା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ପ୍ରେରିତ ହୋଇ ସେ ଏହି କାମ ଆରମ୍ଭ କରିଛନ୍ତି। ମେରଠର ହୋଇଥିବା କୃଷି ପ୍ରଦର୍ଶନୀରେ ଗାଈ ଗୋବରରେ ତିଆରି ଜିନିଷ ଯିଏ ବି ଦେଖିଲେ ସମସ୍ତେ ପ୍ରଶଂସା କଲେ।

ଗୋବର ଘଷିକୁ ଏହିହଳି ପ୍ୟାକ କରାଯାଇଛି ଯେ ଦୂରରୁ ଦେଖିଲେ ତାହା ବିସ୍କୁଟ ପ୍ୟାକେଟ୍ ଭଳି ଦେଖାଯାଉଛି। କିନ୍ତୁ ଏହାର ବାସ୍ନା ସୁଂଘିଲା ପରେ ଆପଣ ଜାଣିପାରିବେ ଏହା ମାଟିର ବାସ୍ନା। ଏହି ମହିଳାମାନେ ଘଷି ଛଡା ପାମ୍ପଡ ମଧ୍ୟ ତିଆରି କରନ୍ତି।
ଘଷି ପ୍ୟାକେଟ ୨୦ ଟଙ୍କାରେ ବିକ୍ରି ହୁଏ ଏବଂ ପାମ୍ପଡ ପ୍ୟାକେଟ ମଧ୍ୟ ୨୦ ଟଙ୍କା। ଏହି କାମ କରି ଗାଁର ମହିଳାମାନେ ସ୍ୱାବଲମ୍ବୀ ହୋଇଛନ୍ତି। ମହିଳାଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ ଏବଂ ସ୍ୱାଗତଯୋଗ୍ୟ।