ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଓଡ଼ିଶାରେ ଯେ ବହୁ ସମୟ ବିତାଇଥିଲେ, ତାହା ଅନେକଙ୍କୁ ଅଜଣା । ଏପରି କି ସେ ଓଡ଼ିଶାରେ ତାଙ୍କର ପ୍ରସିଦ୍ଧ କାବ୍ୟ 'ଚିତ୍ରାଙ୍ଗଦା' ରଚନା କରିଥିଲେ । ଓଡ଼ିସାର ପ୍ରାକୃତିକ ଶୋଭା ତାଙ୍କ ଲେଖାରେ ପରିସ୍ପୁଟିତ । ବିଶ୍ୱକବିଙ୍କ ଏହି ସ୍ମୃତିର ଜମିଦାରୀ ଗାଁ ହେଲା- ଜଗତସିଂହପୁର ଜିଲାର ପଣ୍ଡୁଆ । ରବୀନ୍ଦ୍ରନାଥ ଠାକୁରଙ୍କ ଜମିଦାରୀ ଥିଲା ପଣ୍ଡୁଆରେ । ସେ ବହୁ ସମୟ ସେ ଏଠାରେ କଟାଇ ଥିବାର ନଜିର ରହିଛି । ବ୍ରିଟିଶ ଅମଳରେ ଲାଗୁ ହୋଇଥିଲା ସୂର୍ଯ୍ୟାସ୍ତ ଆଇନ । ଏହି ଆଇନ ଅନୁଯାୟୀ ସ୍ଥାନୀୟ ଜମିଦାରମାନେ ବ୍ରିଟିଶରଙ୍କୁ ଠିକ ସମୟରେ କର ପରିଶୋଧ କରି ନପାରିଲେ ସେମାନଙ୍କଠାରୁ ଜମିଦାରୀ ଛଡ଼ାଇ ନିଆଯାଇ ନିଲାମ ଡ଼କାଯାଉଥିଲା । ସେତେବେଳେ ଏହି ଅଞ୍ଚଳର ଜମିଦାରୀ ରବୀନ୍ଦ୍ରନାଥଙ୍କ ପୂର୍ବପୁରୁଷଙ୍କ ହାତକୁ ଆସିଥିଲା । ରବୀନ୍ଦ୍ର ନାଥଙ୍କ ପିତା ଦେବେନ୍ଦ୍ରନାଥ ଏହି ଜମିଦାରୀ ବୁଝାଶୁଝା ପାଇଁ ଏଠାରେ ଖମାର ଘର ତିଆରି କରିଥିଲେ । ଯେଉଁଠି ଜମିଜମା ହିସାବପତ୍ର ସମ୍ପନ୍ନ ହେଉଥିଲା । ଯୌବନାବସ୍ଥାରେ ରବୀନ୍ଦ୍ରନାଥ ଏଠାକୁ ଅନେକ ସମୟରେ ଆସୁଥିଲେ । ଠାକୁର ବଂଶର ହିତେନ୍ଦ୍ର ନାଥ ଠାକୁର, କ୍ଷେମେନ୍ଦ୍ର ନାଥ ଠାକୁର ଓ ଜିତେନ୍ଦ୍ର ନାଥ ଠାକୁର ଏହି ଜମିଦାରୀ ବୁଝୁଥିଲେ । ୧୯୪୫ରେ ସେମାନଙ୍କ ଭିତରେ ପାର୍ଟିସନ୍ ହୋଇଥିଲା । ପରେ ଏଥିରୁ ଜିତେନ୍ଦ୍ର ନାଥ ଠାକୁରଙ୍କ ଅଂଶ ରାୟ ବାହାଦୂର ରମେଶ ଚନ୍ଦ୍ର କିଣିଥିଲେ । ପରେ ସେ ଏହା ସାଧାରଣ ଲୋକଙ୍କୁ ବିକ୍ରି କରିଥିଲେ । ଜମିଦାରୀ ଉଚ୍ଛେଦ ପରେ ଠାକୁର ବଂଶର ସମ୍ପର୍କିତମାନେ ଏହି ଜମିବାଡ଼ି ଲିଜ୍ ନେଲେ । ମାତ୍ର ସରକାର ପରେ ଏହା ଉପରେ କେସ୍ କଲେ । ବାରମ୍ବାର ପକ୍ଷମାନଙ୍କୁ ନୋଟିସ୍ ଦିଆଗଲେ ମଧ୍ୟ ସେମାନେ ଉପସ୍ଥିତ ହେଲେ ନାହିଁ । ସରକାର ଲିଜ୍ କ୍ୟାନ୍ସେଲ୍ କରିବା ସହ ଏହା ହାତକୁ ନେଇଥିଲେ ।
ଉଲେଖଯୋଗ୍ୟ ଯେ, ଠାକୁରବଂଶ ସେଠାରେ ୬୦ ମୌଜା ଜମିଦାରୀ କିଣିଥିଲେ । ତାଙ୍କ ଅଧୀନରେ ମଧ୍ୟ ସତ୍ତ୍ବାଧିକାରୀ ଜମିଦାର ସବୁ ଥିଲେ । ଗାଁ ମଝିରେ ଥିଲା ବଉଳ ପିଣ୍ଡି । ଯେଉଁ ବଉଳ ବୃକ୍ଷ ମୂଳେ ବିଶ୍ବକବି ଧ୍ୟାନ କରୁଥିଲେ, କବିତା ଲେଖୁଥିଲେ । ସେଇ ସ୍ମୁତିକୁ ଉଜ୍ଜିବୀତ ରଖିବା ନେଇ ତା’ମୂଳରେ ଗାଁ ଲୋକେ ଚାନ୍ଦାଭେଦା କରି ଚାନ୍ଦିନୀଟିଏ ତିଆରି କରିଥିଲେ । ହେଲେ ମହାବାତ୍ୟାରେ ବଉଳ ଗଛଟି ଭାଙ୍ଗି ପଡ଼ିଲା, । ଆଉ ଚାନ୍ଦିନୀଟି ବି ନଷ୍ଟ ହୋଇଗଲା । ରବୀନ୍ଦ୍ରନାଥ ନିଜ ବସାଘର ଓ ଏହି ବଉଳ ପିଣ୍ଡି ଉପରେ ବସି ରଚନା କରିଥିଲେ ପ୍ରସିଦ୍ଧ ‘ଚିତ୍ରାଙ୍ଗଦା’ ଆଉ ‘ମାଳିନୀ’ କାବ୍ୟ । ଏ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ସେ ସମୟରେ ଖୁବ୍ ବିମୁଗ୍ଧ କରୁଥିଲା ବିଶ୍ବକବିଙ୍କୁ ।ଗାଁର ଶେଷ ମୁଣ୍ଡ କୋଠାଘରେ ରବୀନ୍ଦ୍ରନାଥ ରହଣି କରୁଥିଲେ । ବସାଘରଠୁଁ ଦକ୍ଷିଣକୁ ଥିବା ବ୍ରାହ୍ମଣୀପାଟର ଶୋଭା ତାଙ୍କର ସାରସ୍ବତ ସୃଷ୍ଟିରୁ ବାଦ୍ ପଡ଼ିନି । ଗାଁର ପ୍ରାକୃତିକ ପରିବେଶ ଥିଲା ଖୁବ ଶୋଭାମୟ । ଯାହା କବିଙ୍କ ସୃଜନରେ ଅନୁରଣିତ ହୋଇଥିଲା । ରବୀନ୍ଦ୍ରନାଥ ନିକଟରେ ଥିବା ହାଟପୋଖରୀରେ ଗାଧାଉଥିବାର କେତେକ କହିଥା’ନ୍ତି । ସେତେବେଳେ ଠାକୁର ବଂଶର ଚଳଣୀ ପାଇଁ ମହାନଦୀରୁ ପାଣି ଆସୁଥିଲା । ତାଙ୍କ ବଂଶର ଲୋକେ ସବାରୀରେ ଯା’ଆସ କରୁଥିଲେ । 1999ରେ ପ୍ରଚଣ୍ଡ ବାତ୍ୟା ଓ ଜୁଆର ମାଡ଼ି ଆସିବା ଫଳରେ ଠାକୁର ବଂଶର ସମସ୍ତ ଜମିଜମା କାଗଜପତ୍ର, ଦଲିଲ୍ ଦସ୍ତାବିଜ୍ ଭାସିଯାଇ ନଷ୍ଟ ହୋଇଯାଇଥିଲା । ଠିଆ ହୋଇ ରହିଥିଲା ଭଙ୍ଗା କାନ୍ଥର ଉଜୁଡ଼ା ସ୍ମୁତି । ମାତ୍ର ତାହା ବି ଆଜି ଉଜୁଡି ଯାଇଛି । ଆଜି କର୍ପୁର ଉଡିଯାଇଛି , ପଡିଛି କେବଳ କନା । ମାହାବାତ୍ୟାର ବହୁବର୍ଷ ବିତିଯାଇଥିଲେ ମଧ୍ୟ ଏହି ଉଜୁଡା ସ୍ମୃତିର ଆଜିଯାଏ ପୁନରୁଦ୍ଧାର ହୋଇପାରିନି ।