ଚନ୍ଦ୍ରପୃଷ୍ଠରୁ ‘ଚନ୍ଦ୍ରଯାନ-ଟୁ’କୁ ନେଇ ଆସିଲା ଭଲ ଖବର: ମିଳିଲା ଲ୍ୟାଣ୍ଡର ବିକ୍ରମର ଠିକଣା, ‘ବିକ୍ରମ’ ସହ ସଂପର୍କ ସ୍ଥାପନ ପାଇଁ ଚେଷ୍ଟା ଚଳାଇଛି ଇସ୍ରୋ

Published By : Prameya-News7 Bureau | September 08, 2019 IST

ନୂଆଦିଲ୍ଲୀ ୮।୯:  ମିଳିଲା ଲ୍ୟାଣ୍ଡର ବିକ୍ରମର ପତ୍ତା । ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ସନ୍ଧାନ ଲଗାଇଛି 'ଇସ୍ରୋ' । ଅର୍ବିଟରରୁ ମିଳିଥିବା  ଫଟୋରୁ ହିଁ ଲ୍ୟାଣ୍ଡର ବିକ୍ରମର ପତ୍ତା ଲଗାଇଛି ଇସ୍ରୋ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରମ ସହ କୌଣସି ଯୋଗାଯୋଗ ହୋଇପାରିନଥିବା ଇସ୍ରୋ ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଛନ୍ତି । ଖବର ଆସିଛି କି ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ ପାଇଁ ଧାର୍ଯ୍ୟ ହୋଇଥିବା ସ୍ଥାନରୁ ପାଖାପାଖି ୫ ଶହ ମିଟର ଦୂରରେ ପଡିଛି । ଚନ୍ଦ୍ରଯାନ-ଟୁର ଅର୍ବିଟରରେ ଲଗାଯାଇଥିବା ଅପ୍ଟିକାଲ ହାଇ ରିଜଲ୍ୟୁସନ କ୍ୟାମେରା ଲ୍ୟାଣ୍ଡର ବିକ୍ରମର ଫଟୋ ଉତ୍ତୋଳନ କରିଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଅର୍ବିଟିର ଜରିଆରେ  ଲ୍ୟାଣ୍ଡର ବିକ୍ରମକୁ ସନ୍ଦେଶ ପଠାଇବାକୁ ଚେଷ୍ଟା ଚଳାଇଛନ୍ତି, ଯାହାଦ୍ୱାରା ତାର କମ୍ୟୁନିକେସନ ସିଷ୍ଟମକୁ ପୁଣି ସକ୍ରିୟ କରାଯାଇପାରିବ । ତେବେ ଆହୁରି ମଧ୍ୟ ସୂଚନା ମିଳିଛି କି,  ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ସେଣ୍ଟରରୁ ଲଗାତର ଭାବେ ଲ୍ୟାଣ୍ଡର ବିକ୍ରମ ଏବଂ ଅର୍ବିଟର ସହ ସଂପର୍କ ସ୍ଥାପନ କରିବାକୁ ଉଦ୍ୟମ କରାଯାଉଛି । ଫଳରେ ପୁଣି କନ୍ୟୁନିକେସନ ଆରମ୍ଭ ହୋଇ ପାରିବ ବୋଲି ଆଶା କରାଯାଉଛି।

ଭବିଷ୍ୟତରେ ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ରୋଭର କେତେ କାମ କରିବ, ତାହା ଡାଟା ଆନାଲିସିସ ପରେ ହିଁ ଜଣାପଡିବ । ଇସ୍ରୋ  ବୈଜ୍ଞାନିକମାନେ ବର୍ତ୍ତମାନ ସନ୍ଧାନ ଲଗାଉଛନ୍ତି କି ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚରେ ବିକ୍ରମ ନିଜ ନିର୍ଧାରିତ ମାର୍ଗରୁ କାହିଁକି ବାଟ ହୁଡିଲା ତାର ଗୋଟିଏ କାରଣ ହୋଇଥାଇପାରେ କି ଲ୍ୟାଣ୍ଡର ବିକ୍ରମର ଚର୍ତୁପାର୍ଶ୍ୱରେ ଲଗାଯାଇଥିବା ଛୋଟ ଛୋଟ ୪ ଷ୍ଟିୟରିଂ ଇଂଜିନଗୁଡିକ ମଧ୍ୟରୁ କୌଣସି ଗୋଟିଏ କାମ କରିନଥିବ । ଯେଉଁ କାରଣରୁ ଲ୍ୟାଣ୍ଡର ବିକ୍ରମ ନିଜ ଧାର୍ଯ୍ୟ ମାର୍ଗରୁ ଡାଇଭର୍ଟ ହୋଇଯାଇଛି ଏବଂ ଏହିଠାରୁ ହିଁ ସମସ୍ତ ଅସୁବିଧା ସୃଷ୍ଟି ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.