ଯେଉଁ ଜେସିବି ଜରିଆରେ ପୋଲିସକୁ ଘେରିଥିଲା, ସେହି ଜେସିବିରେ ଧ୍ଵଂସ ହେଲା ବିକାଶ ଦୁବେର ଘର
4/07/2020 at 3:07 PM

କାନପୁର ୦୪।୦୭: କାନପୁରର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ବିରୋଧରେ ପ୍ରଶାସନ ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ପୋଲିସ୍ ଦଳ ଉପରେ ଅତର୍କିତ ଆକ୍ରମଣ ପରଠୁ ଫେରାର ବିକାଶ ଦୁବେର ଘରକୁ ଜେସିବିରେ ଭଙ୍ଗା ଯାଇଛି। ଏ ହେଉଛି ସେହି ଜେସିବି ଯାହାକୁ ବ୍ୟବହାର କରି ଦୁବେ ପୋଲିସ୍ର ରାସ୍ତା ରୋକି ଆକ୍ରମଣ କରିଥିଲା। ଅବୈଧ ଜମି ଉପରେ ଏହି ଘର ନିର୍ମାଣ କରାଯାଇଥିବା କୁହାଯାଉଛି। ଅନ୍ୟପଟେ ଦୁବେ ସହ ସଂପୃକ୍ତ ଚୌବେପୁର ଏସଏଚଓ ବିନୟ ତିଓ୍ଵାରୀଙ୍କୁ ନିଲମ୍ବିତ କରାଯାଇଛି। ଏସଟିଏଫ ତାଙ୍କୁ ଜେରା କରୁଛି।

କାନପୁରରେ ପୋଲିସ୍ ଦଳ ଉପରେ ହମଲାର ମାଷ୍ଟର ମାଇଣ୍ଡ ବିକାଶ ଦୁବେକୁ ଧରିବା ଲାଗି ପୋଲିସର ଖୋଳତାଡ ଜାରି ରହିଛି। ଏହା ମଧ୍ୟରେ ପୋଲିସ୍ ବିକାଶ ଦୁବେର ବିଠୁର ସ୍ଥିତ ଘରକୁ ଭାଙ୍ଗିଛି। ଦୁବେ ଯେଉଁ ଜେସିବି ଜରିଆରେ ପୋଲିସ୍ ଟିମ୍କୁ ଘେରିଥିଲା, ସେହି ଜେସିବିରେ ତାର ଘର ଭାଙ୍ଗି ମାଟିରେ ମିଶା ଯାଇଛି। ପ୍ରଶାସନ ଗ୍ୟାଙ୍ଗଷ୍ଟାର ଦୁବେର ସମସ୍ତ ସଂପତ୍ତି ଯାଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି। ଏହା ସହିତ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ୍ କରାଯିବ।
ଅନ୍ୟପକ୍ଷେ ବିକାଶ ଦୁବେର ତଲାସିରେ ପୋଲିସ୍ର ୨୦ଟି ଟିମ୍ ଅଲଗା ଅଲଗା ଇଲାକାରେ ଚଢାଉ କରୁଛନ୍ତି। ଏହି ସବୁ ଅଞ୍ଚଳରେ ବିକାଶର ପରିବାର ଲୋକ ରୁହନ୍ତି। ନେପାଳ ସୀମାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ବିକାଶ ଦୁବେର ପୋଷ୍ଟର ମଧ୍ୟ ମରାଯାଉଛି।

ପୋଲିସ୍ ଏ ପର୍ଯ୍ୟନ୍ତ ଏହି ମାମଲାର ଜେରା ପାଇଁ ୧୨ ଜଣଙ୍କୁ ଅଟକ ରଖିଛି। ବିକାଶ ଦୁବେ ନେପାଳ ଫେରାର ମାରିବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଲକ୍ଷ୍ମୀପୁର ଜିଲ୍ଲାର ପୋଲିସ୍ ମଧ୍ୟ ଆଲର୍ଟରେ ରହିଛି।
ଏଥିସହ ପୋଲିସ୍ ମୋବାଇଲ୍ କଲ୍ ସୂଚନା ଆଧାରରେ ଅନେକ ଲୋକଙ୍କୁ ଅଟକ ରଖିଛି। ସେମାନଙ୍କୁ ପୋଲିସର ପଚରାଉଚୁରା ଜାରି ରହିଛି। ଏହି ସବୁ ଲୋକ ଗତ ୨୪ ଘଣ୍ଟାରେ ବିକାଶ ଦୁବେ ସହ କଥା ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ବିକାଶ ଦୁବେ ଓ ତାର ଗ୍ୟାଙ୍ଗ ଗୁରୁବାର ଓ ଶୁକ୍ରବାର ବିଳମ୍ବିତ ରାତ୍ରିରେ ପୋଲିସ୍ ଦଳ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୟୁପି ପୋଲିସର ୮ ପୋଲିସ କର୍ମଚାରୀ ସହିଦ୍ ହୋଇଥିଲେ। ଏହି ମାମଲାର ଯାଞ୍ଚ ପାଇଁ ଗଠିତ ଏସଟିଏଫ ଅନେକ ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ଜେରା କରୁଛି। କାରଣ ସେମାନଙ୍କ ଏହି ଆକ୍ରମଣ ପଛରେ ସନ୍ଦେହଜନକ ଭୂମିକା ରହିଛି। ପୋଲିସ୍ର କେହି ଜଣେ ଦୁବେକୁ ପୋଲିସ୍ ସଦଳେ ବଦଳେ ତାକୁ ଧରିବାକୁ ଯାଉଥିବା ସୂଚନା ଦେଇଥିବା ସନ୍ଦେହ କରାଯାଉଛି।