ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କ ପାଓ୍ବାରଫୁଲ୍ ଲିଙ୍କ୍ : ସମ୍ପର୍କରେ ଥିଲେ ବିଜେପି ନେତା ଏବଂ ଆକ୍ଟର,୩ ଦାମୀ ଗାଡ଼ି ମିଳିବା ପରେ ଖୋଲିଲା ଗୁମର

Published By : Prameya-News7 Bureau | July 06, 2020 IST

କାନପୁର ୬/୭: ବିକାଶ ଦୁବେଙ୍କ କାନପୁର କନେକ୍ସନର ତଦନ୍ତ କରୁଥିବା ପୋଲିସ୍ ୩ଟି ଲକ୍ସରି କାର୍ ଜବତ କରିଛି। ୩ଟି କାରରେ ନମ୍ବର ପ୍ଲେଟ୍ ମଧ୍ୟ ନଥିଲା। ପୋଲିସ୍ ଗାଡ଼ିକୁ ଜବତ କରି ତଦନ୍ତ କରିବାରୁ ଜଣା ପଡ଼ିଥିଲା ଯେ ବ୍ରହ୍ମନଗର ବାସିନ୍ଦା ଯୁବକଙ୍କ ପାଖରେ ୩ଟି ଗାଡ଼ି ଥିଲା। ଏଗୁଡ଼ିକ ମଧ୍ୟରୁ ଗୋଟିଏ ଲକ୍ସରି କାର୍ ଭାଜୟୁମୋ ପ୍ରଦେଶ ମନ୍ତ୍ରୀ ପ୍ରମୋଦ ବିଶ୍ବକର୍ମାଙ୍କ ନାଁର ଥିବା ଜଣା ପଡ଼ିଥିଲା। ବିକାଶ ଦୁବେଙ୍କ ସମ୍ପର୍କ ଥିବା ଯୋଗୁଁ ପୋଲିସ୍ ପଚରାଉଚୁରା ପାଇଁ କାର୍ ମାଲିକଙ୍କୁ ପଚରାଉଚୁରା ପାଇଁ ଆଣିଥିଲା। ଏହା ପରେ ୩ଟି ଗାଡ଼ିକୁ ଜବତ କରାଯାଇଥିଲା।

 କାକାଦେବ ଥାନା ମୁଖ୍ୟଙ୍କ କହିବା ଅନୁସାରେ ତଦନ୍ତରୁ ଜଣା ପଡ଼ିଥିଲା ଯେ ବ୍ରହ୍ମନଗର ବାସିନ୍ଦା ଜୟ ବାଜପେୟୀଙ୍କ ୩ଟି ଗାଡ଼ି। ସେ ଗାଡ଼ିଗୁଡ଼ିକ ବ୍ୟବହାର କରନ୍ତି କିନ୍ତୁ ଗୋଟିଏ ବି କାର୍ ତାଙ୍କ ନାଁରେ ନାହିଁ। ଏଗୁଡ଼ିକ ମଧ୍ୟରୁ ଅଡି କାର୍ ଭାଜପା ନେତା ପ୍ରମୋଦ ବିଶ୍ବକର୍ମାଙ୍କର ହୋଇଥିବାବେଳେ ଫରଚ୍ୟୁନର ଚକରପୁର ବାସିନ୍ଦା ରାହୁଲ ଏବଂ ବର୍ଣ୍ଣା ଅଶୋକ ନଗର ବାସିନ୍ଦା କପିଳ ସିଂହଙ୍କ ନାଁରେ ରହିଛି। ପର୍ଦ୍ଦାଫାସ ହେବାରୁ ଜୟ କହିଥିଲେ ଯେ ତାଙ୍କ ବଡ଼ ଭାଇ ଅଜୟଙ୍କ ଚୌବେପୁରର ଦିଲ୍ଲୀପ ନଗର ଗାଁରେ ଶ୍ବଶୁର ଘର ରହିଛି। ଜୁନ୍ ୩୦ତାରିଖରେ ଅଜୟଙ୍କ ଶଳାଙ୍କ ଝିଅଙ୍କ ବିବାହରେ ପୂରା ପରିବାର ଯାଇଥିଲା। ବିକାଶ ଦୁବେଙ୍କ ସମ୍ପର୍କରେ ଆସିବା ଯୋଗୁଁ ସନ୍ଦେହ କରି ଶନିବାର ଏସଟିଏଫ ପଚରାଉଚୁରା ପାଇଁ ଉଠାଇଥିଲା। ବିବାହରେ ବିକାଶ ଦୁବେ ସାମିଲ ହେବାର ଏକ ଫଟୋ ମଧ୍ୟ ପୋଲିସ୍ ହାତରେ ଲାଗିଛି। ଏହା ପରେ ପରିବାର ଲୋକେ ଡରି ଯାଇ ୩ଟି ଗାଡ଼ିର ନମ୍ବର ପ୍ଲେଟ୍ ବାହାର କରି ବିଜୟ ନଗର ବାସିନ୍ଦା ଅବିନାଶଙ୍କ ଘର ସାମନାରେ ରଖି ଦେଇଥିଲେ।

ପ୍ରମୋଦ ବିଶ୍ବକର୍ମାଙ୍କ କହିବା ଅନୁସାରେ ତାଙ୍କ ବନ୍ଧୁ ଜୟଙ୍କ ବ୍ୟାଙ୍କ୍ ସିଭିଲ୍ ଭଲ ନଥିବା ଯୋଗୁଁ ତାଙ୍କ ନାଁରେ ଲକ୍ସରି କାର୍ କିଣିଥିଲେ। କିନ୍ତୁ ଅନ୍ୟ ୨ଗାଡ଼ି ଜୟ ଅନ୍ୟ ଜଣଙ୍କ ନାଁରେ କାହିଁକି କିଣିଥିଲେ ଏହାର ଉତ୍ତର ସେ ଦେଇପାରିବେ ନାହିଁ। ଏସବୁ ମଧ୍ୟ ତଦନ୍ତ କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ କରାଯିବ।

ବ୍ରହ୍ମନଗରରୁ ଅଟକ ରଖାଯାଇଥିବା କାରର ମାଲିକ ଜୟ ବାଜପେୟୀଙ୍କ କମେଡ଼ିଆନ ଏବଂ ଟିଭି ଧାରାବାହିକରେ କାମ କରିଥିବା ଅନ୍ନୁ ଅବସ୍ଥିଙ୍କ ସହ ମଧ୍ୟ ସମ୍ପର୍କ ରହିଛି। ଜୟଙ୍କୁ ପଚରାଉଚୁରା ପାଇଁ ଅଣାଯିବାରୁ ଅନ୍ନୁ ଅବସ୍ଥି ମଧ୍ୟ ଥାନାକୁ ଆସିଥିଲେ। ତାଙ୍କ କହିବା ଅନୁସାରେ ଜୟଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ରହିଛି। ଜୟ ଦିଲୀପପୁରର ବିକରୁ ଗାଁ ପାଖରେ ରୁହନ୍ତି। ନଜିରାବାଦ ପୋଲିସ୍ ବିଜୟନଗରରୁ ଗାଡ଼ି ଜବତ କରିବା ପରେ ଜୟଙ୍କୁ ଥାନାକୁ ଆଣିଥିଲେ। ପଚରାଉଚୁରା ପରେ ପୋଲିସ୍ ରାତି ପାଖାପାଖି ୩.୩୦ପରେ ଜୟ ଏବଂ ତାଙ୍କ ଭାଇଙ୍କୁ ପୁଣି ଥରେ ଡାକିବା କଥା କହି ପଠାଇ ଦେଇଥିଲେ। ରବିବାର ପୁଣି କାକାଦେବ ସିଓ କାର୍ଯ୍ୟାଳୟରେ ଦୁଇ ଭାଇଙ୍କୁ ପଚରାଉଚୁରା ପାଇଁ ଡକାଯାଇଥିଲା।

ଅନ୍ନୁ ଅବସ୍ଥିଙ୍କ କହିବା ଅନୁସାରେ ଜୟଙ୍କ ବ୍ରହ୍ମନଗରରେ କାର୍ ଆକ୍ସେସରିଜ,ଇଲେକ୍ଟ୍ରିକାଲସ୍ ଏବଂ ଇନଭର୍ଟର ବ୍ୟାଟେରିର ଦୋକାନ ରହିଛି। ପାରିବାରିକ ସମ୍ପର୍କ ରହିଥିବା କାରଣରୁ ସେ ଅନେକ ଥର ତାଙ୍କ କାର୍ ବ୍ୟବହାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.