୨୨ ବର୍ଷ ପୂର୍ବେ ବିକାଶ ଦୁବେ-ଏସଡିପିଓ ଦେବେନ୍ଦ୍ର ମିଶ୍ରଙ୍କ ଶତ୍ରୁତାର ପରିଣାମ ଥିଲା କାନପୁର ଏନକାଉଣ୍ଟର, ଜାଣନ୍ତୁ ସେହି ଦିନର ଘଟଣା…

Published By : Prameya-News7 Bureau | July 12, 2020 IST

କାନପୁର ୧୨।୦୭: କାନପୁରରେ ଜୁଲାଇ ୨-୩ ରାତିରେ ହୋଇଥିବା ଏନକାଉଣ୍ଟର ଅଚାନକ ନଥିଲା ବରଂ ୨୨ ବର୍ଷର ପୁରୁଣା ଶତ୍ରୁତାର ମଧ୍ୟ ପ୍ରଭାବ ଥିଲା। କାନପୁର ଏନକାଉଣ୍ଟରରେ ସବୁଠୁ ବଡ କଥା ଏବେ ସାମ୍ନାକୁ ଆସିଛି ଯେ, ଅପରାଧୀ ବିକାଶ ଦୁବେ ଓ ସହିଦ ଏସଡିପିଓ ଦେବେନ୍ଦ୍ର ମିଶ୍ର ୨୨ ବର୍ଷ ପୂର୍ବେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରେ ଗୁଳି ବିନିମୟ ମଧ୍ୟ ହୋଇଥିଲା, ମାତ୍ର ସେଥିରେ ବିକାଶ ଦୁବେ ଅଳ୍ପକେରୁ ବର୍ତ୍ତି ଯାଇଥିଲା। ଏନକାଉଣ୍ଟର ପୂର୍ବରୁ  ବିକାଶ ଦୁବେ ଏହି କଥା ସ୍ଵୀକାର କରିଥିଲା। ଏସଡିପିଓ ଦେବେନ୍ଦ୍ର ମିଶ୍ରଙ୍କ ସହିତ ତାର ଶତ୍ରୁତା ଥିବା ସ୍ଵୀକାର କରିଥିଲା।

କୁହାଯାଉଛି ଯେ, ୧୯୯୮ରେ ବିକାଶ ଦୁବେ ବିକରୁ ଗାଁର ପ୍ରଧାନ ଥିଲା। ସେହି ସମୟରେ ବିକାଶ ଦୁବେକୁ କଲ୍ୟାଣପୁର ଥାନାର ପୋଲିସ୍‌ ଅନ୍ୟ ମାମଲାରେ ଗିରଫ କରିଥିଲା। ବିକାଶକୁ ଯେବେ ଥାନା ଅଣାଗଲା, ସେ ତତ୍କାଳୀନ ଥାନା ଅଧିକାରୀ ହରିମୋହନ ଯାଦବଙ୍କ ସହ ଝଗଡା କରିଥିଲା। ପୋଲିସ୍‌ କର୍ମଚାରୀ ଚୁପ୍ ରହିବାକୁ କହିବାରୁ ଦୁବେ ଗାଳି ଗୁଲଜ କରିଥିଲା। ଦେବେନ୍ଦ୍ର ମିଶ୍ର ସେହି ସମୟରେ କଲ୍ୟାଣପୁର ଥାନାରେ ସିପାହୀ ଥିଲେ। ଦେବେନ୍ଦ୍ର ବିକାଶ ଦୁବେର ଏହି ପରି ଆଚରଣ ବରଦାସ୍ତ କରିପାରିନଥିଲେ।  ସେ ବେତରେ ବିକାଶକୁ ପ୍ରବଳ ପିଟିବା ସହ ହାଜତରେ ବନ୍ଦ କରି ଦେଇଥିଲେ। ସେହି ସମୟରେ ବିକାଶ ଦେବେନ୍ଦ୍ର ମିଶ୍ରକୁ ପରେ ଦେଖି ନେବି ବୋଲି ଧମକ ଦେଇଥିଲା।

କୁହାଯାଏ ଯେ, ସେହି ସମୟରେ ବିଏସପି ବିଧାୟକ ଏବଂ ବର୍ତ୍ତମାନ ବିଜେପିର ବିଧାୟକ ଥିବା ଏବଂ ପୂର୍ବର ସାଂସଦ ବିକାଶ ଦୁବେଙ୍କୁ ବଞ୍ଚାଇବା ପାଇଁ ଥାନାରେ ପହଞ୍ଚିଥିଲେ। କିନ୍ତୁ ପୋଲିସ୍‌ ଦୁହିଁଙ୍କ କଥା ନଶୁଣିବାରୁ ବିଏସପି ବିଧାୟକ ଥାନାରେ ଧାରଣାରେ  ବସି ପଡିଥିଲେ। ଏଥିରୁ ସ୍ପଷ୍ଟ ଯେ, ରାଜନେତାଙ୍କ ସହ ବିକାଶ ଦୁବେର କେମିତି ନିବିଡ ସଂପର୍କ ଥିଲା।

୨୨ ବର୍ଷର ଏହି ଶତ୍ରୁତାକୁ ବିକାଶ ନିଜର ସ୍ଵୀକାରୋକ୍ତି ସମୟରେ ସ୍ଵୀକାର କରିଛି। ଉଜ୍ଜୟିନୀ ପୋଲିସ୍‌କୁ ଦେଇଥିବା ସୂଚନାରେ ବିକାଶ ସ୍ଵୀକାର କରିଥିଲା ଯେ, ଦେବେନ୍ଦ୍ର ମିଶ୍ର ତାର ପଡୁନଥିଲା। ସେ ଏହା ମଧ୍ୟ କହିଛି, ଦେବେନ୍ଦ୍ର ମିଶ୍ରଙ୍କୁ ସେ ନୁହେଁ ତାର ସାଥୀ ଗୁଳି କରି ହତ୍ୟା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.