ଶୁକ୍ରବାର ମାରିଥିଲା ଶୁକ୍ରବାର ମଲା , ମହାକାଳଙ୍କ ଭକ୍ତ ବିକାଶ ବଞ୍ଚିବା ପାଇଁ ଦିନକୁ ୨ଘଣ୍ଟା କରୁଥିଲା ପୂଜାପାଠ
10/07/2020 at 10:13 AM

ଲକ୍ଷ୍ନୌ ୧୦/୭: ବିକାଶ ଦୁବେ ମହାକାଳଙ୍କ ଭକ୍ତ। ପ୍ରତ୍ୟେକ ଦିନ ସେ ଦୁଇ ଘଣ୍ଟା ପୂଜାପାଠ କରିଥାଏ। ସେ ଜାଣି ସାରିଥିଲା ଯେ ୟୁପି ପୋଲିସ୍ ହାତରେ ପଡ଼ିବା ମାତ୍ରେ ସେ ଆଉ ବଞ୍ଚି ପାରିବ ନାହିଁ। ବୋଧହୁଏ ଏହି ଅକାଳ ମୃତ୍ୟୁରୁ ବର୍ତ୍ତିବା ପାଇଁ ସେ ଉଜ୍ଜୈନର ମହାକାଳ ମନ୍ଦିର ପହଞ୍ଚିଥିଲା। ଉଜ୍ଜୈନ ପୋଲିସ ପଚରାଉଚୁରା କରିବାବେଳେ ସେ କହିଥିଲା ଯେ ମନ୍ଦିର ପରିସରରେ ପହଞ୍ଚି ସେ ନିଜକୁ ସୁରକ୍ଷିତ ଅନୁଭବ କରିଥିଲା।

ଉଜ୍ଜୈନ ପୋଲିସ୍ ବିକାଶ ଦୁବେ ସହ ଅନେକ ସମୟ ପଚରାଉଚୁରା କରିଥିଲା। ଏହା ପରେ ସେଠାରେ ୟୁପି ଏସଟିଏଫ ଏବଂ ପୋଲିସ୍ ଟିମ୍ ପହଞ୍ଚି ଅନେକ ରାଜ ଖୋଲିଥିଲା। ବିକାଶ କହିଥିଲା ଯେ ତା ସାଥୀ ଲଗାତାର ଏନକାଉଣ୍ଟରରେ ପ୍ରାଣ ହରାଉଥିଲେ। ଏଥିପାଇଁ ସେ କିଛି ଲୋକଙ୍କଠୁ ରାୟ ନେଇ ମହାକାଳ ମନ୍ଦିର ଯିବା କଥା କହିଥିଲା।

ଯୋଜନା ମୁତାବକ ସେ ମହାକାଳ ମନ୍ଦିର ପହଞ୍ଚିଥିଲା। ବିକାଶ କହିଥିଲା ଯେ ସେ କାନପୁରର ପରମଟ ମନ୍ଦିରରେ ମଧ୍ୟ ପ୍ରତି ସୋମବାର ଦର୍ଶନ କରିବାକୁ ଯାଉଥିଲା। ୨୦୦୧ମସିହାରେ ଭାଜପା ନେତା ସନ୍ତୋଷ ଶୁକ୍ଳାଙ୍କ ଶିବଲି ଥାନାରେ କରାଯାଇଥିବା ହତ୍ୟାରେ ସେ ଅଭିଯୁକ୍ତ ସାଜିଥିଲା। ମୁକ୍ତ ହେବା ପରେ ସେ ଘରେ ମନ୍ଦିର ନିର୍ମାଣ କରିଥିଲା।

ବିକାଶ ମହନ୍ତ ଶୋଭନ ସରକାରଙ୍କ କହିବା ଅନୁସାରେ ୨୦୦୩ମସିହାରେ ଅପରେସନ କରି ହାତ ଭିତରେ ଜୀବନରକ୍ଷକ ଦୁର୍ଗା କବଚ ପୂରାଇଥିଲା। ଏହା ପରେ ସେ କହିବାକୁ ଲାଗିଥିଲା ଯେ ଈଶ୍ବରଙ୍କ ବ୍ୟତୀତ ତା’ର କେହି କିଛି ବିଗାଡ଼ି ପାରିବେ ନାହିଁ। ତା’ର ମାଆ ସରଳା ଦେବୀ ମଧ୍ୟ ଏହା କୁହନ୍ତି। ତାଙ୍କ କହିବା ଅନୁସାରେ ତାଙ୍କ ପୁଅକୁ ମହାକାଳ ବଞ୍ଚାଇଛନ୍ତି। କିନ୍ତୁ ଏହି ଘଟଣା ପରେ ତା ମାଆ କହିଥିଲେ ଯେ ଯେଉଁ କାମ ବିକାଶ କରିଛି ତା’ର ଏନକାଉଣ୍ଟର ହେବା ଦରକାର।

ବିକାଶ ଶୁକ୍ରବାର ୮ଜଣ ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲା। ଏହାର ୮ଦିନ ପରେ ନିଜେ ମଧ୍ୟ ପୋଲିସର ଗୁଳିମାଡ଼ର ଶିକାର ହୋଇ ଆଖି ବୁଜିଲା।