ଆଜି ପବିତ୍ର ଦଶହରା : ମଣ୍ଡପରେ ଚାଲିଛି ମୃଣ୍ମୟୀ ଦେବୀଙ୍କ ପୂଜାର୍ଚ୍ଚନା, ରାବଣ ପୋଡି ପାଇଁ ବ୍ୟାପକ ଆୟୋଜନ

Published By : Prameya-News7 Bureau | October 08, 2019 IST

ଭୁବନେଶ୍ବର ୮।୧୦: ଆଜି ପବିତ୍ର ଦଶହରା । ଶାରଦୀୟ ପୂଜା ଉତ୍ସବର ଦଶହରା ବଡ଼ ପର୍ବ । ଅଧର୍ମ ଉପରେ ଧର୍ମର ବିଜୟକୁ ଦଶହରା ଉତ୍ସବ ରୂପରେ ପାଳନ କରାଯାଏ । ବିଜୟ ଦଶମୀ ପାଇଁ ସବୁଠି ଉତ୍ସବର ମାହୋଲ୍ ।

ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ମନ୍ତ୍ର ଉଚ୍ଚାରଣରେ ସବୁଠି ଆଧ୍ୟାତ୍ମିକ ପରିବେଶ । ପୂଜା ମଣ୍ଡପ ଗୁଡିକରେ ମଧ୍ୟ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଘଣ୍ଟ ଘଣ୍ଟା, ଶଙ୍ଖ ଓ ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।

ବିଜୟା ଦଶମୀରେ ଅପରାଜିତା ବେଶରେ ମା’ଙ୍କୁ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି । ପୂଜା ପାଇଁ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି । ସୁଉଚ୍ଚ ଏବଂ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନ୍ଦର ଓ ମନଲୋଭା ସାଜସଜା, ରଙ୍ଗବେରଙ୍ଗର ଆଲୋକମାଳା ସମସ୍ତଙ୍କ ମନକୁ ଛୁଇଁଛି ।

ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦଶହରାରେ ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ରାବଣଙ୍କ ନିଧନ ହୋଇଥିବାରୁ ଏହି ଦିନ ରାବଣ ପୋଡ଼ି ଉତ୍ସବ ମଧ୍ୟ ପାଳନ ହୋଇଥାଏ । ଏଥି ପାଇଁ ଟ୍ବିନସିଟିରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ିର ଆୟୋଜନ କରାଯାଇଛି । ଯାହାକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ କିଛି ନିୟମକୁ କଡ଼ାକଡ଼ି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.