ଆର୍ଥର ରୋଡ୍ ଜେଲ୍‌ର ବ୍ୟାରେକ୍ ନମ୍ବର ୧୨ରେ ରହିବ ବିଜୟ ମାଲ୍ୟା, ମିଳିବ କାଠର ଖଟ

Published By : Prameya-News7 Bureau | June 03, 2020 IST

ମୁମ୍ବାଇ ୦୩।୦୬: ବ୍ୟାଙ୍କରୁ ଲୋନ୍‌ ଜରିଆରେ ଟଙ୍କା ନେଇ ଦେଶରୁ ଫେରାର ମାରିଥିବା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବୁଧବାର ରାତିରେ ମୁମ୍ଵାଇ ଅଣାଯାଇପାରେ। ମୁମ୍ବାଇରେ ତାଙ୍କ ବିରୋଧରେ ମାମଲା ଚାଲିଛି, ତେଣୁ ଜେରା ପାଇଁ ତାଙ୍କୁ ଏଠାକୁ ଅଣାଯାଇପାରେ। ମାଲ୍ୟାଙ୍କୁ ମୁମ୍ବାଇ ଚଳଚଞ୍ଚଳ ହୋଇ ଉଠିଛି। ମାଲ୍ୟାଙ୍କୁ ଏଠାକାର ଆର୍ଥର ରୋଡ୍‌ ଜେଲ୍‌ର ବ୍ୟାରେକ୍ ନମ୍ବର ୧୨ରେ ରଖାଯିବାକୁ ପ୍ରସ୍ତୁତି ଚାଲିଛି। ମାଲ୍ୟାଙ୍କୁ ଦୁଇ ମହଲା ବିଶିଷ୍ଟ ଆର୍ଥର ରୋଡ୍‌ ଜେଲ୍‌ ପରିସରରେ କଡା ସୁରକ୍ଷା ବଳୟ ଭିତରେ ଏହି ବ୍ୟାରେକ୍‌ରେ ରଖାଯିବ। ଏହାକୁ ନେଇ ଜେଲ୍‌ କର୍ତ୍ତୃପକ୍ଷ ପୂରା ପ୍ରସ୍ତୁତି କରିଛି। ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି।

ସୂଚନା ଅନୁଯାୟୀ, ରାତିରେ ଯେବେ ବିଜୟ ମାଲ୍ୟାଙ୍କ ବିମାନ ମୁମ୍ବାଇରେ ଅବତରଣ କରିବ ତେବେ ସର୍ବ ପ୍ରଥମେ ଡାକ୍ତର ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିବେ। କୁହାଯାଉଛି ଯେ, ଏହ ସମୟରେ ମାଲ୍ୟାଙ୍କ ସହିତ ସିବିଆଇ ଓ ଇଡିର ଅଧିକାରୀ ରହିବେ। ମାଲ୍ୟା ଯଦି ଦିନ ବେଳେ ମୁମ୍ବାଇରେ ପହଞ୍ଚିନ୍ତି ତେବେ ତାଙ୍କୁ ସିଧାସଳଖ କୋର୍ଟ ନିଆଯାଇପାରେ। କୋର୍ଟରେ ସିବିଆଇ ଓ ଇଡି ଉଭୟ ମାଲ୍ୟାଙ୍କୁ ରିମାଣ୍ଡରେ ନେବାକୁ ଦାବି କରି ପାରନ୍ତି।

ଜେଲ୍‌ରେ ମିଳିବ ଏହି ସବୁ ସୁବିଧା

କୁହାଯାଉଛି, ବ୍ୟାରେକ୍‌ ନମ୍ବର ୧୨ରେ ବିଜୟ ମାଲ୍ୟାଙ୍କ ଲାଗି ଗଦି, ତକିଆ, ଚାଦର ଓ କମ୍ବଳର ବ୍ୟବସ୍ଥା କରାଯାଇଛି। ମେଡିକାଲ ଆଧାରରେ ଏକ ମେଟାଲ ଫ୍ରେମ୍ କିମ୍ବା କାଠର ବେଡ୍‌ ମାଲ୍ୟାଙ୍କୁ ଦିଆଯାଇପାରେ। ଶୌଚାଳୟ, କପଡା ଧୋଇବା, ପିଇବା ପାଇଁ ସ୍ଵଚ୍ଛ ପାଣି ଏବଂ ଡାକ୍ତରୀ ସୁବିଧା ସବୁ ଯୋଗାଇ ଦିଆଯିବ।

ଆର୍ଥର ରୋଡ୍‌ ଜେଲ୍‌କୁ ବିରୋଧ କରିଥିଲେ ମ୍ୟାଲ୍ୟା

ଉଲ୍ଲେଖଯୋଗ୍ୟ, ୨୦୧୮ ଅଗଷ୍ଟରେ ମାଲ୍ୟାଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଅଦାଲତ ଭାରତୀୟ ଯାଞ୍ଚ ଏଜେନ୍ସିକୁ ସେହି ଜେଲ୍‌ର ସୂଚନା ମାଗିଥିଲେ ଯେଉଁଠି ମାଲ୍ୟାଙ୍କୁ ରଖାଯିବ। ସେହି ସମୟରେ ଏଜେନ୍ସି କୋର୍ଟରେ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍  ଜେଲ୍‌ର ଏକ ସେଲ୍‌ର ଭିଡିଓ ପ୍ରଦାନ କରିଥିଲେ। ଏଜେନ୍ସି ୟୁକୋ କୋର୍ଟକୁ ଆଶ୍ଵସ୍ତ କରିଥିଲେ ଯେ, ମାଲ୍ୟାଙ୍କ ସୁରକ୍ଷାରେ କୌଣସି ସାଲିସ୍‌ କରାଯିବ ନାହିଁ। ମାତ୍ର ମାଲ୍ୟା ଏହାକୁ ବିରୋଧ କରି ଆଶଙ୍କା ପ୍ରକାଶ କରିଥିଲେ ଯେ, ମୁମ୍ବାଇ ଜେଲ୍‌ରେ ତାଙ୍କର ମାନବାଧିକାରର ଉଲ୍ଲଂଘନ ହୋଇପାରେ।

କସାବଠୁ ନେଇ ଆବୁ ସାଲେମ ଏହି ଜେଲ୍‌ର ଥିଲେ ଅତିଥି

ଆର୍ଥର ରୋଡ୍ ଜେଲ୍‌ରେ ପୂର୍ବରୁ ମଧ୍ୟ ଅନେକ ହାଇପ୍ରୋଫାଇଲ୍‌ କଏଦୀକୁ ରଖାଯାଇଛି। ଅଣ୍ଡରଓ୍ଵାର୍ଲ୍ଡର ଅନେକ ଅପରାଧୀ ଛୋଟା ରାଜନ, ଅବୁ ସାଲେମ ଓ ମୁସ୍ତଫା ଦୋସା ମଧ୍ୟ ଏହି ଜେଲ୍‌ରେ ବନ୍ଦୀ ଥିଲେ। ୨୬/୧୧ ମୁମ୍ବାଇ ଆକ୍ରମଣର ଏକ ମାତ୍ର ଜୀବନ୍ତ ଆତଙ୍କବାଦୀ ଅଜମଲ କସାବକୁ ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ଏହି ଜେଲ୍‌ରେ ରଖାଯାଇଥିଲା। ଅନ୍ୟପକ୍ଷେ ସିନା  ବୋରା ହତ୍ୟାକାଣ୍ଡର ଅପରାଧୀ ପିଟର ମୁଖାର୍ଜୀ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)କୁ ୧୩,୫୦୦ କୋଟି ଟଙ୍କାର ଚୂନା ଲଗାଇଥିବା ବିପୁଲ ଅମ୍ବାନୀ ମଧ୍ୟ ଆର୍ଥର ରୋଡ୍‌ ଜେଲ୍‌ର ହାଓ୍ଵା ଖାଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.