ବିଜୟ ହଜାରେ ଟ୍ରଫି : ଶ୍ରୀସନ୍ଥଙ୍କ ଦମଦାର ପ୍ରଦର୍ଶନ ଜାରି, ବିହାର ବିପକ୍ଷ ମ୍ୟାଚ୍‌ରେ ନେଲେ ୪ ଓ୍ବିକେଟ୍

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮/୦୨ : କେରଳର ଦ୍ରୁତ ବୋଲର ଏସ୍‌ ଶ୍ରୀସନ୍ଥଙ୍କୁ ଚଳିତ ବର୍ଷ ଆଇପିଏଲ ୨୦୨୧ ନିଲାମୀରେ କୌଣସି ଫ୍ରାଞ୍ଚାଇଜ୍‌ କିଣି ନାହାନ୍ତି । କିନ୍ତୁ ଏହି ୩୮ ବର୍ଷୀୟ ଦ୍ରୁତ ବୋଲରଙ୍କ ଧୌର୍ଯ୍ୟ କମିନାହିଁ । ବିଜୟ ହଜାରେ ଟ୍ରଫିରେ ଧମାକା ଜାରି ରଖିଛନ୍ତି ଶ୍ରୀସନ୍ଥ । ବିହାର ବିପକ୍ଷରେ ଖେଳୁଥିବା ଶ୍ରୀସନ୍ଥ ୯ ଓଭର ବୋଲିଂ କରି ୩୦ ରନ୍‌ ଦେଇ ୪ଟି ଓ୍ବିକେଟ୍‌ ହାସଲ କରିଛନ୍ତି ।

ପ୍ରାୟ ୧୦ ବର୍ଷ ପରେ ଲିଷ୍ଟ୍-ଏ ଟୁର୍ଣ୍ଣାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏସ୍‌ ଶ୍ରୀସନ୍ଥ । କିନ୍ତୁ ଦେଖିବାକୁ ଗଲେ ତାଙ୍କ ପ୍ରଦର୍ଶନ ସାମ୍ନାରେ ବୟସ ହାର ମାନିଛି । ବିହାର ବିପକ୍ଷରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‌ରେ ୪ଟି ଓ୍ବିକେଟ୍‌ ନେବା ସହିତ ୨ ଓଭର ମେଡେନ୍‌ ବୋଲିଂ ମଧ୍ୟ କରିଛନ୍ତି ।  

ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ଯାଏଁ ମୋଟ ୫ଟି ମ୍ୟାଚ୍‌ ଖେଳି ୧୩ଟି ଓ୍ବିକେଟ୍‌ ନେଇସାରିଲେଣି ଶ୍ରୀସନ୍ଥ । ଏହା ପୂର୍ବ ମ୍ୟାଚ୍‌ରେ ଉତ୍ତର ପ୍ରଦେଶ ବିପକ୍ଷରେ ୫ଟି ଓ୍ବିକେଟ୍‌ ହାସଲ କରିଥିଲେ । ଲିଷ୍ଟ-ଏ ମ୍ୟାଚ୍‌ରେ ପ୍ରାୟ ୧୫ ବର୍ଷ ପରେ ସେ ୫ ଓ୍ବିକେଟ୍‌ ସଫଳତା ପାଇଛନ୍ତି ।

୨୦୦୭ ଟି-ଟ୍ବେଣ୍ଟି ବିଶ୍ବକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟୀ ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ ଏସ୍‌ ଶ୍ରୀସନ୍ଥ । ଲିଷ୍ଟ-ଏ କ୍ୟାରିୟର କଥା କହିବାକୁ ଗଲେ ଶ୍ରୀସନ୍ଥ ମୋଟ ୯୧ ମ୍ୟାଚ୍‌ ଖେଳି ୧୨୨ଟି ଓ୍ବିକେଟ୍‌ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.