ଭୁବନେଶ୍ବର ୯।୧୦: ସ୍ବାମୀ ଜଳୁଥିଲେ, ସ୍ତ୍ରୀ ଦେଖୁଥିଲେ । କାହାକୁ ଡାକିନଥିଲେ, କାହାରି ସାହାଯ୍ୟ ଲୋଡିନଥିଲେ । ପାଣି ମୁନ୍ଦେ ବି ପକାଇନଥିଲେ । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କ ମୁଖା ଖୋଲିଛି କ୍ରାଇମବ୍ରାଞ୍ଚ । ତଦନ୍ତ ବେଳେ ଅନେକ ମିଛ କହିଛନ୍ତି ବିଦ୍ୟାଭାରତୀ । ବାହା ହୋଇଥିଲେ କିନ୍ତୁ ସ୍ବାମୀଙ୍କ ସହ ସଂପର୍କ ଭଲ ନଥିଲା । ଏବେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ପରେ ବିଦ୍ୟାଭାରତୀଙ୍କୁ ଜାରି ହୋଇଛି ନୋଟିସ୍ ।
ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁର ୮୫ ଦିନ ପରେ ତଦନ୍ତ ସାରିଛି କ୍ରାଇମବ୍ରାଞ୍ଚ । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହତ୍ୟା କିମ୍ବା ଆତ୍ମହତ୍ୟା ନୁହେଁ । ଏପରି ଲୋମଟାଙ୍କୁରା ମୃତ୍ୟୁକୁ ଦୁର୍ଘଟଣାଜନିତ ବୋଲି କହିଛନ୍ତି କ୍ରାଇମ୍ବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା । ଜୁଲାଇ ୧୨ରେ କାଗଜପତ୍ର ପୋଡିବା ବେଳେ ସୌମ୍ୟଙ୍କ ଦେହରେ କୁଆଡେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଥାଇ ବି ନିଆଁ ଲିଭାଇବାକୁ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ । ଏହା ଏକ ଅବହେଳା ଓ ଅପରାଧ ବୋଲି ଦର୍ଶାଇଛି କ୍ରାଇମବ୍ରାଞ୍ଚ । ପଲିଗ୍ରାଫ୍ ଟେଷ୍ଟରେ ଧରାପଡିଛି ବିଦ୍ୟାଭାରତୀଙ୍କ ମିଛ ।
ବିଦ୍ୟାଭାରତୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଲଗାଇଛି ଦଫା ୨୮୫, ଦଫା ୩୦୪ (ଏ) । ତେବେ ସନ୍ଦେହ, ସଙ୍ଗୀନ ଅଭିଯୋଗ ଥାଇ ମଧ୍ୟ କାହିଁକି କୋହଳ ଦଫା ଲଗାଇଛି କ୍ରାଇମବ୍ରାଞ୍ଚ । ବିଦ୍ୟାଭାରତୀଙ୍କୁ ସିଆର୍ପିସିର ୪୧-(ଏ)ରେ ନୋଟିସ୍ ଦିଆଯାଇ ଛାଡି ଦିଆଗଲା କାହିଁକି ? ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର । ଓଡିଶା ପୋଲିସ ଓ କ୍ରାଇମବ୍ରାଞ୍ଚଙ୍କୁ ସେମାନଙ୍କ ଭରଷା ନାହିଁ ବୋଲି କହିଛନ୍ତି ।
ବହୁ ଚର୍ଚ୍ଚିତ ମାମଲା । ଅଭିଯୋଗ ଓ ଘଟଣାକ୍ରମରୁ ଅନେକ ବିବାଦ । ତଦନ୍ତକାରୀ ଓ ତଦନ୍ତର ତରିକା ସବୁକୁ ନେଇ ଅଭିଯୋଗକାରୀଙ୍କ ଅନେକ ପ୍ରଶ୍ନ । ଡିଏଫଓ ଏବଂ ରୋଷେୟାଙ୍କୁ କ୍ଲିନ୍ ଚିଟ୍ କୁ ଗ୍ରହଣ କରିପାରୁନାହାନ୍ତି ମୃତ ଏସିଏଫ୍ ଙ୍କ ପରିବାର । ଘଟଣାର ଗତି କୁଆଡେ ତାହା ସମୟ କହିବ । କିନ୍ତୁ ଏତେ ଶୀଘ୍ର ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପୂର୍ଣ୍ଣଚ୍ଛେଦ ପଡୁନାହିଁ ଏହା ନିଶ୍ଚିତ ।