Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଂସଦରେ ଉଠିବ ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାବ – ନେତାଙ୍କର ଥଇଥାନ ଯୋଜନା ଅଭିଯୋଗ କଲେ ବିରୋଧୀ

ଭୁବନେଶ୍ୱର ୧୭।୧୦ – ରାଜ୍ୟରେ ଗଠନ ହେବ ବିଧାନ ପରିଷଦ । ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ ସଂସଦରେ ଉଠାଯିବ । ଏଥିପାଇଁ ଜୋର ଲଗାଇଛି ବିଜେଡ଼ି । ବିଜେପିର ସମର୍ଥନ ପାଇ  ସଂସଦରେ କିପରି ବିଧାନ ପରିଷଦ ପ୍ରସଙ୍ଗ ରେ ଚର୍ଚ୍ଚା ହୋଇ ତାହା ପାରିତ ହେବ, ସେଥିପାଇଁ ସବୁ ରଣନୀତି କରିଛି ଦଳ । ସେପଟେ  ରାଜ୍ୟ ବିଜେପି ପ୍ରଥମରୁ  ଏହାକୁ କେବଳ ଦଳୀୟ ନେତାଙ୍କ ଥଇଥାନ ଯୋଜନା ବୋଲି କହିଛି ।

ଆଉ ପାଦେ ଆଗକୁ ବଢିବ ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା । ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଥିବା ଏହି ପ୍ରସଙ୍ଗକୁ ଏଥର ସଂସଦରେ ଉଠାଇବ ବିଜେଡି । ରାଜ୍ୟରେ ବିଧାନପରିଷଦ ଗଠନ ନେଇ ଜାନୁଆରୀ ୨୦୧୫ରେ ଅନ୍ୟ ରାଜ୍ୟର ସ୍ଥିତି ଅନୁଧ୍ୟାନ ପାଇଁ କମିଟି ଗଢା ହୋଇଥିଲା । କମିଟି ବିଭିନ୍ନ ରାଜ୍ୟ ଗସ୍ତକରି ସରକାରଙ୍କୁ ରିପୋର୍ଟ ଦେଇଛି । ଅଗଷ୍ଟ ୨୪, ୨୦୧୮ରେ ରାଜ୍ୟ କ୍ୟାବିନେଟ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମଂଜୁର କରିଛି । ସେପ୍ଟେମ୍ବର ୬, ୨୦୧୮ରେ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଛି । ଆଉ ଏବେ ଆଉ ପାଦେ ଆଗକୁ ଯାଇ ବିଧାନପରିଷଦ ଗଠନ ପ୍ରସଂଗ ସଂସଦରେ ଉଠାଇବାକୁ ଅଣ୍ଟା ଭିଡିଛି ବିଜେଡି । ବିଜେପି ସମେତ ଅନ୍ୟ ଦଳର ସମର୍ଥନ କିପରି ମିଳିବ ଓ ଏହା ସଂସଦରେ ପାରିତ ହେବ ସେଥିପାଇଁ ରଣନୀତି ଦଳ  ତିଆରି କରିଛି ବୋଲି ବିଜେଡି ସାସଂଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ରାଜ୍ୟରେ  ବିଧାନ ପରିଷଦ ଗଠନକୁ ଆରମ୍ଭରୁ ବିରୋଧ କରି ଆସୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏହା କେବଳ ଶାସକ ଦଳର ଛାମୁଆ ନେତାଙ୍କୁ ଥଇଥାନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀଙ୍କ ଯୁକ୍ତି । ନିର୍ବାଚନ ପ୍ରତିନିଧିଙ୍କ କଥା ତ ସରକାର ବୁଝିପାରୁନାହାନ୍ତି, ଏବେ ମନୋନୀତ ସଦସ୍ୟଙ୍କ କଥା କିପରି ବୁଝିବେ ବୋଲି ବିଜେପି ପ୍ରଶ୍ନ କରିଛି । ତେବେ ସଂସଦରେ ବିଜେପିର ଭୂମିକା କଣ ରହିବ ସେନେଇ ରାଜ୍ୟ ବିଜେପି ସ୍ପଷ୍ଟ କରୁନାହିଁ ।

ପ୍ରସ୍ତାବିତ ବିଧାନ ପରିଷଦ ୪୯ ସଦସ୍ୟ ବିଶିଷ୍ଟ ହେବ । ଏହି ସଦନକୁ ଆସିବାକୁ ଥିବା ସଦସ୍ୟମାନଙ୍କୁ ତ୍ରୀସ୍ତରୀୟ ପଂଚାୟତିରାଜ ପ୍ରତିନିଧିଙ୍କ ସହ ପୌର ପ୍ରତିନିଧି ବାଛିବେ । ସେହିପରି ବିଭିନ୍ନ କ୍ଷେତ୍ରରୁ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରାଯିବାର ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କ ସୁସମ୍ପର୍କ ଥିବାରୁ ବିଜେଡି ଚାହିଁଲେ, ବିଧାନ ପରିଷଦ ଗଠନ ପାଇଁ ବାଟ ଫିଟାଇବା କଷ୍ଟ ହେବନି ।

138 Views

   ସମ୍ବନ୍ଧିତ ଖବର