ପାନ ପାଇଁ ଦୋକାନୀର କାନ କାମୁଡି ଦେଲା ଗ୍ରାହକ, ଓଠ ଖଣ୍ଡିଆ

Published By : Prameya-News7 Bureau | December 26, 2019 IST

ଲକ୍ଷ୍ନୌ ତା ୨୬.୧୨- ମାଗଣା ପାନ ଦେଲାନି ବୋଲି ଦୋକାନୀକୁ ରକ୍ତାକ୍ତ କରିଦେଲା ଗ୍ରାହକ । ବିଚରା ଦୋକାନୀ ମାତ୍ର କେଇ ପଇସା ଲାଗି କଷ୍ଟ ତ ଭୋଗିଲା, ଡାକ୍ତର ଖାନା ଯାଇ ଟଙ୍କା  ବି ଗଣିଲା ।  ଉତ୍ତରପ୍ରଦେଶର  ଲକ୍ଷ୍ନୌ ଅନ୍ତର୍ଗତ ଆଲମବାଗରେ ଏହି ଘଟଣା ଘଟିଛି । ଏବଂ ଏ ନେଇ ଦୋକାନୀଙ୍କ ଅଭିଯୋଗ ଭିତ୍ତିରେ ସାଲୁ ନାମକ ଜଣେ ୨୮ ବର୍ଷୀୟ ଭିଡିଓଗ୍ରାଫରକୁ ପୋଲିସ ଗିରଫ କରିଛି ।

 ମଙ୍ଗଳବାର ରାତିର ଘଟଣା । ସୁଜାନପୁରରେ ଏକ ପାନ ଦୋକାନ କରିଛନ୍ତି ସତ୍ୟେନ୍ଦ୍ର । ରାତି ପ୍ରାୟ ୧୦ ଟା ବେଳେ ସେ ସବୁଦିନ ଭଳି ଦୋକାନ ବନ୍ଦ କରୁଥିଲେ । ସେହି ସମୟରେ ସାଲୁ ସେଠାରେ  ପହଞ୍ଚି  ସତ୍ୟେନ୍ଦ୍ରକୁ ଏକ ପାନ ମାଗିଥିଲା .ଆଉ ମାଗଣାରେ ପାନ ନେବାକୁ ଏକ ପ୍ରକାର ଜିଦ୍ କରିଥିଲା । କିନ୍ତୁ ସତ୍ୟେନ୍ଦ୍ର ତାହା ଶୁଣି ନଥିଲେ, କିମ୍ବା ପାନ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇପଡିଥିଲା ସାଲୁ । ସେ ଏକ ପଥରରେ  ସତ୍ୟେନ୍ଦ୍ରଙ୍କୁ ଆକ୍ରମଣ କରିଥିଲା । ତାପରେ ସେ ସତ୍ୟେନ୍ଦ୍ରର ବାମ କାନକୁ କାମୁଡି ଦେଇଥିଲା ।

ସତ୍ୟେନ୍ଦ୍ର ତଳେ ପଡି  ଯନ୍ତ୍ରଣାରେ  ଛଟପଟ ହେଉଥିବା ବେଳେ , ସାଲୁ ସେ ସ୍ଥାନରୁ ଫେରାର ହେବା ପୂର୍ବରୁ ସତ୍ୟେନ୍ଦ୍ରଙ୍କ ଓଠକୁ କାମୁଡି ଦେଇଥିଲା । ରକ୍ତ ଜୁଡୁବୁଡୁ ହୋଇ ଘଟଣାସ୍ଥଳରେ ପଡିଥିଲେ ସତ୍ୟେନ୍ଦ୍ର । ସେହି ବାଟ ଦେଇ ଯାଉଥିବା କିଛି ଲୋକ , ସତ୍ୟେନ୍ଦ୍ରଙ୍କୁ ଡାକ୍ତରଖାନା ନେଇଥିଲେ । ପୋଲିସରେ  ଖବର ମଧ୍ୟ ଦେଇଥିଲେ । ଅଭିଯୁକ୍ତ ସାଲୁର ଘର ସେହି ଆଲମବାଗର ଭିଲୱାନ କଲୋନୀରେ । ଭିଡିଓଗ୍ରାଫର ଭାବେ କାମ କରୁଥିବା ସାଲୁ ଜଣେ ନିଶାଗ୍ରସ୍ତ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ତେବେ ଚିକିତ୍ସା ପରେ ସତ୍ୟେନ୍ଦ୍ର ଘରକୁ ଫେରିଥିବା ବେଳେ ସାଲୁକୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.