ବଲାଂଗୀରରେ ନେତାଙ୍କ ଭିଡିଓ ଭାଇରାଲ , ରାଜନୈତିକ ମହଲରେ ହଇଚଇ , ଏଡିଟ୍ କରାଯାଇଥିବା ଅଭିଯୋଗ, ସତ କ’ଣ, ମିଛ କେତେ ? ଏହାକୁ ନେଇ ଥମୁନି ଚର୍ଚ୍ଚା
16/11/2019 at 4:24 PM

ବଲାଙ୍ଗୀର ୧୬।୧୧ – ବଲାଂଗୀର ରାଜନୀତି ସରଗରମ । ବେଶି ହଇଚଇ ବିଜେପି ଶିବିରରେ । ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ସହ ଜିଲ୍ଳା ବିଜେପିର ତିନି ଜଣ ମୁଣ୍ଡିଆଳଙ୍କ ବୈଠକ ଆଉ କଥାବାର୍ତ୍ତାର ଭିଡିଓ ଭାଇରାଲ ହେବା ପରେ ଏପରି ହଇଚଇ ହୋଇଛି । ବଲାଙ୍ଗୀର ସାଂସଦଙ୍କ ବିରୋଧରେ ଅସନ୍ତୋଷର ସୁରାକ ବେଳେ, ବିଧାୟକଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ ଉଠାଇଛନ୍ତି ବିଜେପି ନେତା । ମିଟିଂ ଟା ସିକ୍ରେଟ ଥିଲା ନା ଅନ୍ୟକିଛି ? ସତ କ’ଣ, ମିଛ କେତେ ? ଏହାକୁ ନେଇ ଥମୁନି ଚର୍ଚ୍ଚା ।
ବଲାଂଗୀରରେ ନେତାଙ୍କ ଭିଡିଓ ଭାଇରାଲ । ସୋସିଆଲ ମିଡିଆରେ ବୁଲୁଛି ବିଜେଡି ନେତାଙ୍କ ସହ ବିଜେପିର ଛାମୁଆ ନେତାଙ୍କ ବୈଠକ । ବୈଠକରେ ସାଂସଦଙ୍କ ବିରୋଧରେ ଅସନ୍ତୋଷ ଉଗାଳୁଛନ୍ତି ତାଙ୍କରି ଅନୁଗତ । ଭିଡିଓରେ ବୈଠକର ସାରା ହାଲ୍ଚାଲ୍ ଆଉ ତାକୁ ନେଇ ବଲାଙ୍ଗିର ବିଜେପି ପୁରା ବେହାଲ । କଣ୍ଟାବାଞ୍ଝିର ଏକ ହୋଟେଲରେ ବୈଠକ । ସେହି ବୈଠକରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ସହ ବଲାଙ୍ଗିର ବିଜେଡିର ତିନି ଜଣ ଛାମୁଆ ନେତା । ତିନି ନେତା ହେଲେ ବଲାଂଗୀର ଜିଲ୍ଳା ବିଜେପି ସଭାପତି ଭକ୍ତବନ୍ଧୁ ନାଏକ, ଉପ-ସଭାପତି ତଥା ବେଲପଡା ବ୍ଳକ ଅଧ୍ୟକ୍ଷା ବୈଜୟନ୍ତୀ ପାଣିଗ୍ରାହୀଙ୍କ ସ୍ବାମୀ ନୀଳ ପାଣିଗ୍ରାହୀ ଏବଂ ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ପୂର୍ଣମାସୀ ବରିହାଙ୍କ ସ୍ବାମୀ ରଘୁବୀର ସିଂ ବରିହା ।ଏହି ତିନି ନେତା କେବଳ ବିଜେପିର ଛାମୁଆ ନେତା ନୁହନ୍ତି, ଦଳୀୟ ସାଂସଦ ସଙ୍ଗୀତା ସିଂଦେଓ ଏବଂ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓଙ୍କ ଘନିଷ୍ଠ ଅନୁଗତ ଭାବେ ଜଣା ଶୁଣା । ଅଥଚ, ବିପକ୍ଷ ଦଳର ବିଧାୟକଙ୍କ ଆଗରେ ତିନିହେଁ ସଂସଦଙ୍କ ବିରୋଧରେ ଅସନ୍ତୋଷ ଉଗାଳିବାର ଭିଡିଓ । ବିରୋଧିଙ୍କ ଆଗରେ ବିଜେପି ନେତାଙ୍କ ଏହି କାରନାମାକୁ ନେଇ ହିଁ ବେଶି ଆଲୋଚନା
ନିଜ ନେତାଙ୍କ ବିରୋଧରେ ଅନୁଗତଙ୍କ ଟିପ୍ପଣୀକୁ ନେଇ ହିଁ ଚର୍ଚ୍ଚା । ଅନୁଗତ କାହିଁକି ଅସନ୍ତୁଷ୍ଟ ? ତା ପୁଣି ବିପକ୍ଷ ଦଳର ବିଧାୟକଙ୍କ ଆଗରେ ? ସାଂସଦଙ୍କ ଅଗୋଚରରେ ଅନୁଗତଙ୍କ ଏପରି ଅସନ୍ତୋଷ ବିଜେପିକୁ ଅଡୁଆରେ ପକାଇବା ଭଳି ସ୍ଥିତି ସୃଷ୍ଟି କରିବା ଆଶଙ୍କା ବି । ତେବେ ଏନେଇ ପ୍ରତିକ୍ରିୟା ବେଳେ , ବିଧାୟକଙ୍କୁ ଦୋଷ ଦେଇଛି ବିଜେପି । ବିଧାୟକଙ୍କ ସହ ବୈଠକରେ ଥିବା ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାଏକ କେବଳ ଭିଡିଓ ଭାଇରାଲ ଘଟଣାକୁ ନିନ୍ଦା କରିନାହାନ୍ତି, କହିଛନ୍ତି ଏହା ବିଧାୟକଙ୍କ ଷଡଯନ୍ତ୍ର । କିଛି ମାସ ତଳେ ବ୍ଳକର ବିଭିନ୍ନ ଉନ୍ନୟନ କାମ ନେଇ ଆଲୋଚନା ପାଇଁ ପାଟଣାଗଡ ବିଧାୟକ ସରୋଜ ମେହେର ସେମାନଙ୍କୁ ଡାକିଥିଲେ । ଆଉ ସେହି ବୈଠକର ଭିଡିଓକୁ ବିଧାୟକ ନିଜେ ଏଡିଟ କରି ତାଙ୍କୁ ଓ ତାଙ୍କ ଦଳ ବିଜେପିକୁ ବଦନାମ କରିବା ପାଇଁ ଏପରି କରିଛନ୍ତି ।
ଏହି ପ୍ରସଙ୍ଗରେ କିନ୍ତୁ ବିଧାୟକଙ୍କ ମତାମତ ମିଳିପାରିନାହିଁ । କାରଣ, ନ୍ୟୁଜ୍ ସେଭେନ୍ ପକ୍ଷରୁ ବିଧାୟକ ସରୋଜ ମେହେରଙ୍କ ସହ ଫୋନ୍ରେ ଯୋଗାଯୋଗ କରାଯିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ସେ ଫୋନ ରିସିଭ କରିନଥିଲେ ।