ଗତିରୋଧ ମଧ୍ୟରେ ପ୍ରଥମ ଥର ଭାରତ-ଚୀନ ମନ୍ତ୍ରଣାଳୟସ୍ତରୀୟ ଆଲୋଚନା, ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ହେଲା ସହମତି

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୦୫୦୬: ଲଦାଖ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଶୁକ୍ରବାର ପ୍ରଥମ ଥର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଲାଗି ବୈଦେଶିକ ମନ୍ତ୍ରଣାଳୟସ୍ତରରେ ଆଲୋଚନା ହୋଇଛି। ଯୁଗ୍ମ ସଚିବସ୍ତରରେ ହୋଇଥିବା ଆଲୋଚନାରେ ଉଭୟ ଦେଶ ପରସ୍ପରର ଭାବନାକୁ ସମ୍ମାନ ଜଣାଇ ବିବାଦର ସମାଧାନ ଲାଗି ଜୋର ଦେଇଛନ୍ତି। ଖାସ୍ କଥା ଏହା ଯେ, ପୂର୍ବ ଲଦାଖରେ ଏକ ମାସ ଧରି ଜାରି ଉତ୍ତେଜନା ପରେ ଦୁଇ ଦେଶ ମଧ୍ୟରେ ଏତେ ବଡ ସ୍ତରରେ ଆଲୋଚନା ହୋଇଛି। ଶନିବାର ଭାରତ-ଚୀନର କୋର କମାଣ୍ଡର ବୈଠକ ମଧ୍ୟ ହେବାର ଅଛି।

ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ସହମତି

ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବସ୍ତରରେ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଆଲୋଚନାରେ ଦୁଇ ପକ୍ଷ ସଦ୍ୟତମ ଘଟଣାକ୍ରମ ସମେତ ବିଭିନ୍ନ ଦ୍ଵିପାକ୍ଷିକ ସଂପର୍କର ସମୀକ୍ଷା କରିଛନ୍ତି। ଏହା ସହିତ ବିବାଦୀୟ ସ୍ଥିତିରେ ଆଲୋଚନାର ରୂପରେଖାକୁ ନେଇ ଦୁଇ ଦେଶର ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତ ଓ ଚୀନ ମଧ୍ୟରେ ଶାନ୍ତିପୂର୍ଣ୍ଣ, ସ୍ଥିର ଓ ସନ୍ତୁଳିତ ସମ୍ବନ୍ଧ ବୈଶ୍ଵିକ ଅବସ୍ଥାକୁ ସ୍ଥିରତା ପ୍ରଦାନ କରିବ।

ମତଭେଦକୁ ବିବାଦର ରୂପ ନଦେବାକୁ  ଜୋର

ବିଜ୍ଞପ୍ତିରେ କୁହାଯାଇଛି, ଦୁଇ ପକ୍ଷ ଏହା ଉପରେ ସହମତି ପ୍ରକାଶ କରିଛନ୍ତି ଯେ, ନେତୃତ୍ଵଙ୍କ ପକ୍ଷରୁ ସ୍ଥିରିକୃତ ନିର୍ଦ୍ଦେଶ ଆଧାରରେ ମତଭେଦକୁ ଶାନ୍ତିପୂର୍ବକ ଆଲୋଚନା ଜରିଆରେ ସମାପ୍ତ କରିବା ଉଚିତ୍। ଯଦ୍ଵାରା ପରସ୍ପରର ସମ୍ବେଦନା, ଚିନ୍ତା ଓ ଆଂକାକ୍ଷାର ସମ୍ମାନ ହୋଇ ପାରିବ ଓ ମତଭେଦ ବିବାଦର ରୂପ ନନେବ। ଏହି ବୈଠକରେ ଦୁଇ ଦେଶ କୋଭିଡ୍-୧୯ ମହାମାରୀ କାରଣରୁ ଉତ୍ପନ ଚ୍ୟାଲେଞ୍ଜ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ଏଥିସହ ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ପରସ୍ପରର ସହଯୋଗର ସମ୍ଭାବନା ଉପରେ ମଧ୍ୟ ଆଲୋଚନା ହୋଇଛି।

ଶୁକ୍ରବାର ଭାରତୀୟ ବୈଦେଶ ମନ୍ତ୍ରଣାଳୟର ପୂର୍ବ ଏସିଆ ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଓ ଚୀନୀ ବୈଦେଶିକ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ(DG) ଓ୍ଵ ଜିୟାଙ୍ଗହୋ ମଧ୍ୟରେ ଏହି ଆଲୋଚନା ହୋଇଛି। ଶନିବାର ଲେଫ୍ଟନାଣ୍ଟ ଜେନେରାଲସ୍ତରୀୟ ଆଲୋଚନା ଭାରତୀୟ ସେନାର ୧୪ତମ କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଓ ସାଉଥ ସିନଜିୟାଙ୍ଗ ମିଲିଟାରୀ ରିଜିଅନର କମାଣ୍ଡର ମେଜର ଜେନେରାଲ ଲିୟୁ  ଲିନଙ୍କ ମଧ୍ୟରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.