ବୁର୍ଲା ଭୀମ୍ସାରରେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିବା ଘଟଣା : ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ ପୀଡିତ ଯୁବକଙ୍କ ପରିବାର
23/10/2019 at 4:39 PM

ସମ୍ବଲପୁର ୨୩।୧୦: ବୁର୍ଲା ମେଡିକାଲ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିବା ଘଟଣାରେ ଏଯାଏଁ ହୋଇନି କାର୍ଯ୍ୟାନୁଷ୍ଠାନ । ନ୍ୟାୟ ଦାବିରେ ଆଜି ପୀଡିତ ଯୁବକଙ୍କ ପରିବାର ଲୋକେ ରାଜ୍ୟ ମାନବାଧିକାର କମିଶନକୁ ଭେଟିଛନ୍ତି ।
ସେପଟେ ସମ୍ବଲପୁର ଏସ୍ପି କନୱର ବିଶାଲ ସିଂ ନିଜେ ମାମଲାରେ ତଦନ୍ତ କରିବେ । ଘଟଣା ବେଳେ କେଉଁ କେଉଁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ, ତାର ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଉଭୟ ବୁର୍ଲା ମେଡିକାଲ ଏବଂ ନର୍ସିଂହୋମରୁ ସିସିଟିଭି ଫୁଟେଜ୍ ଜବତ ହେବ ।
ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ବୁର୍ଲା ଭୀମସାରରେ ଏକ ତଦନ୍ତ କମିଟି ଗଠନ କରାଯାଇଛି । ଏହି କମିଟିରେ ୨ ଜଣ ପ୍ରଫେସର ଏବଂ ଜଣେ ପ୍ରଶାସନିକ ଅଧିକାରୀ ଅଛନ୍ତି । ସେପଟେ ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ବୁର୍ଲା ଥାନାରେ ମାମଲା ଦାଏର ହୋଇଛି । ଆଇପିସି -୫୦୬, ୩୨୩, ୩୪୧ ଓ ୩୪ ଧାରାରେ ମାମଲା ରୁଜୁ ହୋଇଛି । ହେଲେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଏବେ ବଡ ପ୍ରଶ୍ନବାତୀ ସୃଷ୍ଟି କରିଛି ।