ଦୋଷୀକୁ ଫାଶୀ ହେଉ, ମୋ ବିରୋଧରେ ଷଡଯନ୍ତ୍ରର ତଦନ୍ତ କରାଯାଉ : ଅଞ୍ଜନା ମିଶ୍ର

Published By : Prameya-News7 Bureau | February 22, 2021 IST

ଭୁବନେଶ୍ବର ୨୨।୨: ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗିରଫ ହେବା ପରେ ଦୋଷୀକୁ ଫାଶୀ କିମ୍ବା ଆଜୀବନ କାରାଦଣ୍ଡ ଦିଆଯାଉ ବୋଲି ପୀଡିତା ଅଞ୍ଜନା ମିଶ୍ର କହିଛନ୍ତି । ସେ ଆହୁରି କହିଛନ୍ତି ଅଭିଯୁକ୍ତ ଗିରଫ ହୋଇଥିବାରୁ ମୁଁ ବହୁତ ଖୁସି । ୨୨ ବର୍ଷ ଧରି ଅନେକ ଯନ୍ତ୍ରଣା ସହିଛି , ମରି ମରି ବଞ୍ଚିଛି । ବିବନକୁ ଫାଶୀ ହେଲେ ମୋତେ ନ୍ୟାୟ ମିଳିବ । ଜାନକୀ ବଲ୍ଲଭ ପଟ୍ଟନାୟକ ବଞ୍ଚିଥିବା ବେଳେ ଏହି କେସ୍ ଆସିବାର ଥିଲା । ମୋ ଘର ଉପରକୁ ପଥର ମାଡ ହୋଇଛି । ଚୁପ୍ ରହିବାକୁ ଧମକ ମିଳୁଥିଲା । ସିବିଆଇ ଚୁପ୍ ବସିଲା । ଅଭିଯୁକ୍ତକୁ ଧରିପାରିଲାନି । ହେଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଓ ତାଙ୍କ ଟିମ୍‌ ମୋତେ ନ୍ୟାୟ ଦେଲେ। ପୋଲିସ କମିଶନର ଅସମ୍ଭବକୁ ସମ୍ଭବ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସୂଚନାଯୋଗ୍ୟ ଯେ, ୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖ ଦିନ ଘଟିଥିବା ଏହି ଗଣଦୁଷ୍କର୍ମ ଘଟଣା ସମଗ୍ର ଓଡିଶାର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଘଟଣା ଦିନ ଗଣଦୁଷ୍କର୍ମ ପୀଡିତା ଜଣଙ୍କ ତାଙ୍କ ବନ୍ଧୁଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ । ଭୁବନେଶ୍ବର ଉପକଣ୍ଠ ସ୍ଥିତ ବାରଙ୍ଗ ନିକଟବର୍ତ୍ତୀ ଏକ ନିଛାଟିଆ ସ୍ଥାନରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଗାଡିଟିକୁ ଅଟକାଇ ବାନ୍ଧବୀଙ୍କ ସମ୍ମୁଖରେ ପୀଡିତାଙ୍କୁ ୩ ଜଣ ମିଶି ଗଣଦୁଷ୍କର୍ମ କରିଥିଲେ ।

ଘଟଣା ପରେ ସମଗ୍ର ଓଡିଶାରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଉକ୍ତ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୧୯୯୯ ମସିହା ଜାନୁଆରୀ ମାସ ୨୬ ତାରିଖରେ ମାତ୍ର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ଦ୍ବାରା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦଣ୍ଡିତ କରିଥିଲେ । ଉଭୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଘଟଣା ପରଠାରୁ ଫେରାର ଥିଲା । କମିଶନରେଟ୍ ପୋଲିସ ୩ ମାସ ତଳୁ ଅଭିଯୁକ୍ତ ବିବନକୁ ଖୋଜିବା ଆରମ୍ଭ କରିଥିଲା । ତେବେ ମୁମ୍ବାଇ-ପୁନେ ରାସ୍ତାରେ ଛଦ୍ମ ନାମରେ ବିବନ ରହୁଥିବା ନେଇ ପୋଲିସ ଖବର ପାଇଥିଲା । ଜଳନ୍ଧର ସ୍ବାଇଁ ନାଁରେ ନଭି ମୁମ୍ବାଇରେ ରହୁଥିଲା ବିବନ । ନିଜର ମୃତ୍ୟୁ ପ୍ରମାଣ ପତ୍ର ଯୋଗାଡ କରିବାରେ ଲାଗିଥିଲା ବିବନ । ମାତ୍ର ସେଥିରେ ସେ ସଫଳ ହୋଇପାରିନାହିଁ । ଶେଷରେ ପୋଲିସ ହାତରେ ଧରାପଡିଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.