କରୋନାକୁ ମାତ୍ ଦେଇଥିବା ୧୧ବର୍ଷ ବୟସ୍କା ଯୋଦ୍ଧାଙ୍କୁ ଅଭିନେତା ବିକ୍କି କୌଶଲ୍ ଜଣାଇଲେ ଶୁଭେଚ୍ଛା
26/04/2020 at 11:42 AM

ମୁମ୍ବାଇ ୨୬/୪: ଭାରତରେ କରୋନା ଭାଇରସର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭାଇରସର ସବୁଠୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ମୁମ୍ବାଇରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୬୦୦୦ରୁ ଅଧିକ ହୋଇଯାଇଥିବାବେଳେ ଏଥିରେ ୩୦୧ଜଣଙ୍କ ମୃତ୍ୟୁ ହୋଇସାରିଛି। କରୋନା ଭାଇରସରୁ ବର୍ତ୍ତିବା ପାଇଁ ବଲିଉଡର କେତେକ ଷ୍ଟାର ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି। ଏହା ସହିତ ଲୋକଙ୍କୁ ଲକଡାଉନକୁ ପାଳନ କରିବାକୁ ଅନୁରୋଧ କରୁଛନ୍ତି।
ଏପରି କ୍ଷେତ୍ରରେ ଅଭିନେତା ବିକ୍କି କୌଶଲ୍ ସୋସିଆଲ ମିଡିଆରେ ଖୁବ୍ ଖାସ୍ ଭିଡିଓ ସେୟାର କରିଛନ୍ତି। ସେ ଜଣେ ୧୧ବର୍ଷ ବୟସର ଝିଅର ଭିଡିଓ ସେୟାର କରିଛନ୍ତି ଯିଏ କରୋନାକୁ ହରାଇ ଘରକୁ ଫେରିଛନ୍ତି।

ଏହି ଭିଡିଓ ସହ ସେ କ୍ୟାପସନରେ ଲେଖିଛନ୍ତି- ଏକ ଉଦାସ ଦିନରେ ଖରାର କିରଣ ଭଳି ,ଆମ ଛୋଟ ଯୋଦ୍ଧା ଘରକୁ ଫେରିଛନ୍ତି’। ବିକ୍କି କୌଶଲଙ୍କ ଦ୍ବାରା ସେୟାର କରାଯାଇଥିବା ଏହି ଭିଡିଓଙ୍କୁ ତାଙ୍କ ଫ୍ୟାନ୍ ଏବଂ ସୋସିଆଲ ମିଡିଆ ୟୁଜର୍ସ ପ୍ରଶଂସା କରୁଛନ୍ତି ଏବଂ କମେଣ୍ଟ ଜରିଆରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ବହୁତ ଭାଇରାଲ୍ ହେଉଛି।

ଏହି ଝିଅଟି ତାଙ୍କ ସୋସାଇଟିରେ ତାଙ୍କ ବାପା ମାଆଙ୍କ ସହ ରୁହନ୍ତି। ଭିଡିଓରେ ଦେଖାଯାଇଛି ଝିଅଟି କରୋନା ସହ ସଂଗ୍ରାମ କରି ହସ୍ପିଟାଲରୁ ଘରକୁ ଫେରିବାବେଳେ ଆଖପାଖର ଲୋକେ ତାଙ୍କ ଉତ୍ସାହ ବଢ଼ାଇବା ପାଇଁ ତାଳି ବଜାଇ ସ୍ବାଗତ କରୁଛନ୍ତି।

ବିକ୍କି କୌଶଲ୍ ‘ଭୂତ ଦ ହଣ୍ଟେଡ ସିପ୍’ରେ ନଜର ଆସିଥିଲେ ଏବେ ସେ ଉଧମ ସିଂହଙ୍କ ବାୟୋପିକରେ ଦେଖାଯିବେ।
