Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଓଡ଼ିଆରେ ନିଜ ଅଭିଭାଷଣ ଆରମ୍ଭ କଲେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ

25/08/2018 at 3:08 AM

ଭୁବନେଶ୍ୱର ୨୫/୮ : ଭୁବନେଶ୍ୱର ଏମ୍ସ ପ୍ରଥମ ସମାବର୍ତ୍ତନ ଉତ୍ସବରେ ଓଡ଼ିଆରେ ନିଜ ଅଭିଭାଷଣ ଆରମ୍ଭ କଲେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସମସ୍ତଙ୍କ ମନ କିଣିଛନ୍ତି | “ନମସ୍କାର ସମସ୍ତଙ୍କୁ ଶୁଭ ସକାଳ, ମୁଁ ବହୁତ ଖୁସୀ ଓଡିଶା ଆସି | କାରଣ ଓଡିଶା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଦେଶ | କୃତି ଛାତ୍ରଛାତ୍ରୀଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା” | ଏମିତି କହି ଉପ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ | ଦେଶର ବିଭିନ୍ନ ପ୍ରାନ୍ତରରେ ଏମ୍ସ ପ୍ରତିଷ୍ଠା ହେଉ ବୋଲି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି ବୋଲି ଭେଙ୍କେୟା କହିଥିଲେ | ଦେଶରେ ଅଦ୍ୟାବଧି ୨୨ ଟି ଏମ୍ସ ସ୍ଥାପନ ହୋଇଥିବା ସୂଚନା ଦେବା ସହ ପ୍ରଥମ ପର୍ଯ୍ୟାୟରେ ସ୍ଥାପିତ ୬ ଟି ଏମ୍ସ ମଧ୍ୟରୁ ଭୁବନେଶ୍ୱର ଏମ୍ସ ସର୍ବୋତ୍କୃଷ୍ଟ ବୋଲି ଉପ ରାଷ୍ଟ୍ରପତି କହିଥିଲେ | ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପୂର୍ବ ଭାରତର ଏକ ଅଗ୍ରଣୀ ଅନୁଷ୍ଠାନ ହୋଇପାରିଥିବାରୁ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ | ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସବୁ ଜିଲ୍ଲାରେ ଏମ୍ସ ଖୋଲିବା ପାଇଁ ଯେଉଁ ମନୋଭାବ ପୋଷଣ କରିଛନ୍ତି ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ଭେଙ୍କେୟା କହିଛନ୍ତି | ସମାଜର ସବୁଠୁ ତଳ ସ୍ଥରରେ ଥିବା ଲୋକର ଉନ୍ନତି କରାଯିବ ଆବଶ୍ୟକ ବୋଲି ଗାନ୍ଧିଜୀ ଯେଉଁ କଥା କହୁଥିଲେ ତାହା ହିଁ ହେବା ବାଞ୍ଛାନିୟ ବୋଲି ଭେଙ୍କେୟା କହିଛନ୍ତି | ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପହଂଚି ପାରିଲେ ମୂଳ ଉଦ୍ଦେଶ୍ୟ ସାଧିତ ହେବା | ଦେଶରେ ଡାକ୍ତରଙ୍କ ଅଭାବ ରହିଥିବା ଉଦବେଗର ବିଷୟ | ଡାକ୍ତରଙ୍କ ସଂଖ୍ୟା କିଭଳି ବୃଦ୍ଧି ପାଇବା ସେ ଦିଗରେ ସରକାର, ସ୍ଵେଛାସେବୀ ସଂଗଠନ ଓ କର୍ପୋରେଟମାନେ ଉଦ୍ୟମ କରିବାକୁ ଆହ୍ୱାନ ସେ ଦେଇଥିଲେ | ଡାକ୍ତରମାନଙ୍କୁ ଲୋକେ ଭଗବାନଙ୍କ ଅବତାର ବୋଲି ମାନିଥାନ୍ତି | ସ୍ୱାସ୍ଥ୍ୟସେବା ଏକ ମହତ ବୃତ୍ତି ତେଣୁ ଡାକ୍ତରମାନେ ଏ ମହତ ବୃତ୍ତିର ଗାରିମାକୁ ବଜାୟ ରଖିବା ପାଇଁ ମଧ୍ୟ ଭେଙ୍କେୟା ଆହ୍ୱାନ ଦେଇଥିଲେ | ସେ କହିଥିଲେ ଯେ, ଡାକ୍ତରମାନେ ସ୍ୱାସ୍ଥ୍ୟ ସେବାକୁ କେବଳ କମିଶନ ପାଇଁ ବୃତ୍ତି ନ କରି ମିଶନ ଆକାରରେ ଗ୍ରହଣ କରିବାର ଆବଶ୍ୟକତା ରହିଛି | କେରଳର ଜଣେ ନର୍ସିଙ୍ଗ ଛାତ୍ରୀ ସମାବର୍ତ୍ତନ ଉତ୍ସବରେ ୧୧ ଟି ମେଡାଲ ପାଇଥିବାରୁ ସେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଝିଅମାନେ ବିଭିନ୍ନ କ୍ଷେତ୍ରରେ ପୁଅମାନଙ୍କୁ ପଛରେ ପକେଇ ସାରିଲେଣି ବୋଲି କହି ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ | ଭୂବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସମେତ ଓଡିଶା ରାଜ୍ୟପାଳ ଗଣେଶି ଲାଲ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଯେ.ପି.ନଡ୍ଡା, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ ପାଟଶାଣୀ ପ୍ରମୁଖ ଯୋଗ ଦେଇଥିଲେ | ଏହି ସମାବର୍ତ୍ତନ ଉତ୍ସବରେ ଏମ୍ସର ୨୪ ଜଣ କୃତ୍ତି ଛାତ୍ରଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିବା ବେଳେ ୧୦୬ ଜଣଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରାଯାଇଛି |

   Related Posts