ରବିବାର ଓଡିଶାଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁ, ଜାଣନ୍ତୁ ଗସ୍ତ କାର୍ଯ୍ୟ ସୂଚୀ

Published By : Prameya-News7 Bureau | October 05, 2019 IST

ଭୁବନେଶ୍ୱର: ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁ ରବିବାର ଏକ ଦିବସୀୟ ଗସ୍ତରେ ଓଡିଶା ଆସୁଛନ୍ତି। ରବିବାର ପୂର୍ବାହ୍ନରେ ଉପରାଷ୍ଟ୍ରପତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ କଟକ ଓ ଭୁବନେଶ୍ୱର ଟ୍ୱିନ୍ ସିଟିରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିଲାଗି କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଥିବା ବେଳେ ରାଜଧାନୀରେ ଟ୍ରାଫିକ୍ କଟକଣା ଜାରି ହୋଇଛି। ତେବେ ଆସନ୍ତୁ ଜାଣିବା ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟ ସୂଚୀ।

{"id":166758}

ଉପରାଷ୍ଟ୍ରପତି ଭେଙ୍କୟାନାୟଡୁ ରବିବାର ପୂର୍ବାହ୍ନ ୧୦ଟା ବେଳେ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ କିଟ୍ ଯିବାକୁ ଥିବା ବେଳେ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ବିମାନବନ୍ଦର ଓ କିଟ୍ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ଲାଗୁ ହୋଇଛି। କିଟ୍ ରେ କାର୍ଯ୍ୟକ୍ରମ ମଧ୍ୟାହ୍ନରେ ସରିବ। ସେଠାରୁ ଉପରାଷ୍ଟ୍ରପତି ସିଧା ରାଜଭବନ ପହଞ୍ଚିବେ। ଏଣୁ କିଟ୍-ରାଜଭବନ ରାସ୍ତାରେ ମଧ୍ୟାହ୍ନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଆତଯାତ ଉପରେ କଟକଣା ରହିବ।

{"id":166759,"width":579,"height":396}

ଅପରାହ୍ନରେ ଉପରାଷ୍ଟ୍ରପତି କଟକ ଗସ୍ତରେ ଯିବେ। ଜାବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅପରାହ୍ନ ୩ଟାରେ ବାହାରିବେ। ଏଥିଲାଗି କଟକ ଇଣ୍ଡୋର ଷ୍ଟାଡିୟମ ଓ ରାଜଭବନ ରାସ୍ତାରେ ସର୍ବସାଧାରଣଙ୍କ ଯିବା ଆସିବା ଉପରେ କଟକଣା କଡାକଡି କରାଯାଇଛି। ସନ୍ଧ୍ୟା ୫ଟାରେ ଉପରାଷ୍ଟ୍ରପତି ଇଣ୍ଡୋର ଷ୍ଟାଡିୟମରୁ ବାହାରି ସିଧା ବିମାନ ବନ୍ଦରରେ ପହଞ୍ଚିବେ। ଏଣୁ ୫ଟାରୁ ୬ଟା ପର୍ଯ୍ୟନ୍ତ କଟକ ଇଣ୍ଡୋର ଷ୍ଟାଡିୟମ ଓ ବିମାନ ବନ୍ଦର ରାସ୍ତାରେ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ଲାଗୁ ହୋଇଥିବାରୁ ଏହି ରାସ୍ତାମାନଙ୍କରେ ଯାତାୟତ କରୁଥିବା ଲୋକେ ଏହି ସମୟରେ ନିଜ ଲାଗି ସୁବିଧାଜନକ ରାସ୍ତା ବାଛିବାକୁ ଟ୍ୱିନ୍ ସିଟି କମିଶନରେଟ୍ ପୋଲିସ ନିବେଦନ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.