ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ୭୮ ବର୍ଷ ବୟସରେ ପରଲୋକ ; ସଙ୍ଗୀତ ଜଗତରେ ଶୋକର ଛାୟା

Published By : Prameya-News7 Bureau | November 13, 2018 IST

କଟକ ୧୩|୧୧:  ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ ହୋଇଯାଇଛି ।  ୭୮ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଶେଷରେ ନୀରବି ଯାଇଛି ଏକ ଚିର ମଧୁର କଣ୍ଠ । ହେଲେ ଓଡିଆ ଗୀତକୁ ଭଲ ପାଉଥିବା ପ୍ରତିଟି ସଂଗୀତ ପ୍ରେମୀଙ୍କ ଦୃଦୟରେ ଚିରକାଳ ଚିତ୍ତ ଜେନାଙ୍କ ଗୀତ ଝଂକାର ତୋଳୁଥିବ । ଓଡିଆ ସିନେମା ମାଧ୍ୟାମରେ ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଥିଲେ ଚିତ୍ତ ଜେନା । ‘ରୂପ ହୋଇଥିବ ଲାବଣ୍ୟବତୀ’, ‘ଉଡ଼ିଗଲା ଗେଣ୍ଡାଳିଆ’ ଓ ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ ପରି ଚର୍ଚ୍ଚିତ ଗୀତ ଚିତ୍ତଙ୍କ ଅନବଦ୍ୟ ସୃଷ୍ଟି । ଚିତ୍ତ ଜେନାଙ୍କ ଦେହାନ୍ତରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଓଡିଆ ସଂଗୀତ ପ୍ରେମୀଙ୍କ ମନରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି । ୧୯୪୧ ମସିହା ଡିସେମ୍ବର ୨୪ରେ କଟକ ଜିଲ୍ଲା ପୋପରଡା ଗାଁ ଏକ ସଙ୍ଗୀତମୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ଚିତ୍ତ ଜେନା । ପିତା ଯଦୁମଣି ଜେନା ଓ ମାତା ହେମଲତା ଜେନା ଉଭୟ ସଙ୍ଗୀତପ୍ରେମୀ ଥିଲେ । ସ୍କୁଲ କଲେଜରେ ପଢିଲା ବେଳକୁ ସେ ଗୀତ ଗାଉଥିଲେ । ଆଗରୁ କୌଣସି ବିଧିବଦ୍ଧ ସଙ୍ଗୀତ ଶିକ୍ଷାଲାଭ କରିନଥିବା ଚିତ୍ତ ଜେନାଙ୍କୁ, ପଣ୍ଡିତ ଭୁବନେଶ୍ବର ମିଶ୍ର ସଙ୍ଗୀତ ଶିକ୍ଷାଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । କାଳକ୍ରମେ ସେ ଆକାଶବାଣୀର ଜଣେ ସ୍ଵୀକୃତିପ୍ରାପ୍ତ କଳାକାରର ମର୍ଯ୍ୟାଦା ଲାଭକରିଥିଲେ ।  ୧୯୬୮ରେ ନିର୍ମିତ ଚଳଚ୍ଚିତ୍ର ମନ ଆକାଶରେ ଉପେନ୍ଦ୍ର କୁମାର ତାଙ୍କୁ ପ୍ରଥମେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରର ଗୀତ "ଏ ବନ ଝରଣା ନାଚି ନାଚି ଯାଅନା" ପ୍ରଶାନ୍ତ ନନ୍ଦଙ୍କ ପାଇଁ ଗାଇ ସେ ଲୋକପ୍ରିୟ ହୋଇଥିଲେ । ଏହି ଗୀତରେ ତାଙ୍କ ପ୍ରଚ୍ଛଦପଟ୍ଟ ଗାୟକ ଜୀବନର ମୂଳଦୁଆ ପଡିଥିଲା ।  ୨୦୧୦ରେ ପ୍ରଫୁଲ୍ଲ କର ସମ୍ମାନ, ୨୦୧୧ରେ ଜୀବନବ୍ୟାପୀ ସାଧନା ପାଇଁ ଆମେରିକା ଓଡିଆ ସୋସାଇଟି ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । ଚିତ୍ତ ଜେନାଙ୍କ କଣ୍ଠରେ ପ୍ରତିଟି ଗୀତ ମନକୁ ଛୁଇଁ ଯାଏ । ତାଙ୍କ ସୁମଧୁର ଏବଂ ଲାଳିତ୍ୟଭରା ସ୍ବର ସବୁରି ମନରେ ଭୋଦି ଯାଏ । ଶବ୍ଦ ସବୁ ତାଙ୍କ କଣ୍ଠରେ ନୂଆ ଭାବ ସୃଷ୍ଟି କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.