ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ପରଲୋକ

Published By : Prameya-News7 Bureau | April 07, 2019 IST

କଟକ୭|୪: କଟକର ଏସସିବିରେ ଚିକିତ୍ସିତ ହେଉଥିବା ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ପରଲୋକ ହୋଇଯାଇଛି ।ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଗାଧୁଆ ଘରେ ଉଚ୍ଚରକ୍ତ ଚାପ ଯୋଗୁଁ ତଳେ ପଡିଯାଇ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିବା ବାସୁଦେବ ରଥ ଗତ କିଛିଦିନ ଧରି ଚିକିତ୍ସାଧୀନ ଥିଲେ ।

{"id":101323}

 ଏହି ସଙ୍ଗୀତ ନିର୍ଦ୍ଦେଶକ ତଥା ସ୍ବର ସାଧକଙ୍କ କୃତି ଦେଖିଲେ ଗଣି ହେବ ନାହିଁ । ଓଡିଆ ଫିଲ୍ମ ହେଉ ଅବା ମେଗା ଧାରାବାହିକ କିମ୍ବା ଆଧୁନିକ ସୁଗମ ସଙ୍ଗୀତ ସବୁ କ୍ଷେତ୍ରରେ ବାସୁଦେବ ରଥଙ୍କର ରହିଛି ଅଲିଭା ସ୍ବାକ୍ଷର ।କେବଳ ପରିବାର କାହିଁକି ସମ୍ପୂର୍ଣ୍ଣ ଓଲିଉଡ୍ ଜଗତ ତାଙ୍କ ବିୟୋଗରେ ଶୋକାକୂଳ ହୋଇଛି ।

{"id":101324}

କଟକର ସାହେବଜାଦା ବଜାରସ୍ଥିତ ବାସଭବନର ଗାଧୁଆ ଘରେ ଗୋଡ ଖସି ଯିବାରୁ ବ୍ରେନ୍‌ ଷ୍ଟ୍ରୋକ୍‌ରେ ଆଘାତ ହୋଇ ସେ ଏବେ ଚିକିତ୍ସିତ ହେଉଥିବାବେଳେ ଆର୍ଥିକ ଅସ୍ବଚ୍ଛଳତା ଯୋଗୁଁ ତାଙ୍କର ସଠିକ୍ ଢଙ୍ଗରେ ଚିକିତ୍ସା କରାଯାଇ ପାରୁନାହିଁ ବୋଲି ପରିବାର ଲୋକେ କହିଆସୁଥିଲେ। କଳାକାର ସଂଘ କିମ୍ବା ସରକାର ଏଭଳି ଜଣେ କଳାକାରଙ୍କ ଚିକିତ୍ସା ପାଇଁ ଆଗେଇ ଆସିବା ପାଇଁ ଗଣମାଧ୍ୟମ ଜରିଆରେ ତାଙ୍କ ପରିବାର ଲୋକେ ନିବେଦନ ମଧ୍ୟ କରିଥିଲେ ।

{"id":101325}

ଓଡିଆ, ବଙ୍ଗଳା, ହିନ୍ଦୀ ଭାଷାରେ ଭଜନ ଓ ଆଧୁନିକ ସଙ୍ଗୀତକୁ ନେଇ ଶହେରୁ ଊର୍ଦ୍ଧ୍ବ ମ୍ୟୁଜିକ୍‌ ଆଲବମରେ ବାସୁଦେବ ରଥଙ୍କର ସ୍ବର ସାଧମାର ଅପୂର୍ବ ସମନ୍ବୟ ଘଟିଛି ।କାବେରୀ, ପ୍ରାୟଶ୍ଚିତ୍ତ, ଅଭିମାନ, ଆରତୀ ଭଳି ହିଟ୍ ଓଡିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ବାସୁଦେବ ରଥ ବେଶ ନାଁ କମେଇଥିଲେ । ଚାନ୍ଦ ନା ତୁମେ ତାରା, କହନା ଏ ଫୁଲ କହନା, ମା ତୁମେ ମମତାର ସାହା ଭରସା ଭଳି ସୁପର ଡୁପର ଓଡିଆ ହିଟ୍‌ ମ୍ୟୁଜିକ୍‌ ଦେବାରେ ବାସୁଦେବ ରଥଙ୍କ ବେଶ ପ୍ରସିଦ୍ଧି ରହିଥିଲା ।ବାଳକୃଷ୍ଣ ଦାସଙ୍କଠାରୁ ଆରମ୍ଭ କରି ଅକ୍ଷୟ ମହାନ୍ତିଙ୍କୁ ମିଶାଇ ମାନ୍ନା ଦେ, ଆଶା ଭୋସଁଲେ, ଅନୁପ ଜଲୋଟା, ଏସ୍‌ ଜାନକୀଙ୍କ ଭଳି ବାହାର ଗାୟକ ଗାୟିକାମାନଙ୍କୁ ସେ ମଧ୍ୟ ନିର୍ଦ୍ଦେଶନା ଦେବାର ଗୌରବ ଅର୍ଜନ କରିଥିଲେ ।

{"id":101326}

୧୯୫୧ରେ କଟକରେ ଜନ୍ମଗ୍ରହଣ କରିଥିବା ବାସୁଦେବ ବହୁ ସମ୍ମାନ ଓ ପଦକର ଅଧିକାରୀ । ରୁଚି ପ୍ରତିଭା ସମ୍ମାନ, କୁମାର ଉତ୍ସବ ସମ୍ମାନ, ଭାରତ ପ୍ରତିଭା ସମ୍ମାନ ପରି ବହୁ ସଂସ୍ଥା ବା ଅନୁଷ୍ଠାନ ତାଙ୍କର କୃତିକୁ ଦେଖି ଅନେକ ମଞ୍ଚରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମ୍ମାନିତ କରିଥିଲେ ।ତାଙ୍କ ବିୟୋଗରେ ଓଡିଆ ସଂଗୀତ ଜଗତ ଜଣେ ବରପୁତ୍ରଙ୍କୁ ହରାଇଲା . ବିଭିନ୍ନ ମହଲରୁ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.