ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିଜ୍ ହସ୍ପିଟାଲରେ ଭର୍ତ୍ତି, ଯୋଗାଭ୍ୟାସ କାଳରେ ପଡିଯାଇଥିଲେ

Published By : Prameya-News7 Bureau | July 20, 2021 IST

ମାଙ୍ଗାଲୁର ୨୦।୭: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଣ୍ଡେଜ ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯୋଗାଭ୍ୟାସ କାଳରେ ପଡିଯିବାରୁ ଫର୍ଣ୍ଣାଣ୍ଡିଜଙ୍କ ମସ୍ତିଷ୍କରେ ଆଘାତ ଲାଗିଥିଲା। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପରିବାର ଲୋକେ ସୂଚିତ କରିଛନ୍ତି। ଦୁର୍ଘଟଣା ପରେ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଛି।  

ଗତ ରବିବାର ସକାଳେ ଯୋଗ କରିବା ବେଳେ ଫର୍ଣ୍ଣାଣ୍ଡିଜଙ୍କ ଶାରୀରିକ ସନ୍ତୁଳନ ରଖି ନପାରି ପଡିଯାଇଥିଲେ। ସେତେବେଳେ ଦୁର୍ଘଟଣାକୁ ସେ ହାଲୁକା ଭାବେ ଗ୍ରହଣ କରିଥିଲେ। ତେବେ ସେହି ଦିନ ଉପର ଓଳା ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ତାଙ୍କ ମସ୍ତିଷ୍କର ଆଭ୍ୟନ୍ତରିଣ ଭାଗରେ ଆଘାତ ଲାଗିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ତେବେ ସେ ଏହାର ଚିକିତ୍ସା କରାଇ ନଥିଲେ। ଘରକୁ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା। 

ମଙ୍ଗଳବାର ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ତାଙ୍କ ମସ୍ତିଷ୍କରେ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ଡାକ୍ତରମାନେ କହିଛନ୍ତି। ତେବେ ହସ୍ପିଟାଲରେ ଭର୍ତ୍ତି ପରଠାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.