ମାଡି ଆସୁଛି ବାତ୍ୟା ତିତିଲି: ପ୍ରବଳ ବର୍ଷା ସାଗକୁ ଘଣ୍ଟାକୁ ୬୦ ରୁ ୮୦ କିଲୋମିଟର ବେଗରେ ବହିବ ପବନ

Published By : Prameya-News7 Bureau | October 08, 2018 IST

ଭୁବନେଶ୍ବର୮|୧୦: ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା । କେନ୍ଦ୍ରୀୟ ବଙ୍ଗୋପସାଗରରେ, ଅବପାତ ୭୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି । ଫଳରେ ସମ୍ଭାବ୍ୟ ବାତ୍ୟା ତିତିଲିକୁ ନେଇ ଚାଲିଲାଣି ଅବଗଣନା । ଅବପାତ ପ୍ରଭାବରେ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଉପକୂଳ ଓ ଆଭ୍ୟାନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ଘଣ୍ଟାକୁ ୬୦ ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । .. ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ତିତିଲି । ଏହାକୁ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅବପାତ ଗୋପାଳପୁରୁ ଠାରୁ ୭୨୦ କିଲୋମିଟର ଦୂରରେ ରହିଛି । ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧପ୍ରଦେଶ ଦିଗରେ ମୁହାଁଉଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୧୦ରେ  ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୧ ରେ ୧୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ୬୦ ରୁ ୮୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ବାତ୍ୟା ତିତିଲିକୁ ନେଇ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । ଆସନ୍ତାକାଲି ତିତିଲିର ସ୍ଥିତି ସ୍ପଷ୍ଟ ହେବ ବୋଲି ସ୍ପେଶାଲ ରିଲିଫ କମିଶନର କହିଛନ୍ତି । କିନ୍ତୁ ସମସ୍ତ ଜିଲ୍ଲାପାଳଙ୍କୁ ଏବେଠୁ ସତର୍କ କରାଯାଇ ସାରିଲାଣି । ଜରୁରିକାଳୀନ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ।  ତେଣୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ସେପଟେ ଆରବ ସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନ ରୂପ ନେଇଛି । ଏହାର ପ୍ରଭାବ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଓଡିଶା ସମେତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର,ଗୁଜରାଟ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବରକୁ ସତର୍କ କରାଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.