ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ, ଶୁକ୍ରବାର ପ୍ରକାଶ ପାଇବ ରାୟ

Published By : Prameya-News7 Bureau | September 16, 2021 IST

କଟକ ୧୬।୯: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଶୁକ୍ରବାର ଅପରାହ୍ନ ୨ଟାରେ ଉକ୍ତ ମାମଲାର ରାୟ ପ୍ରକାଶ ପାଇବ । ବାଲୁ ବଜାର ପୂଜା କମିଟି ପକ୍ଷରୁ ଏସଆରସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମାମଲା ଦାୟର ହୋଇଥିଲା ଏବଂ ପୂର୍ବବତ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ବାଲୁ ବଜାର ପୂଜା କମିଟି ତରଫରୁ ଦାୟର ହୋଇଥିବା ପିଟିସନରେ ଗତ ଅଗଷ୍ଟ ୯ ତାରିଖରେ ଏସଆରସି ଜାରି କରିଥିବ ବିଜ୍ଞପ୍ତିର କ୍ଲଜ୍ ୪କୁ ମୁଖ୍ୟତଃ ଚ୍ୟାଲେଞ୍ଜ କରାଯାଇଛି । ମାମଲାରେ ମୁଖ୍ୟ  ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ  ପକ୍ଷଭୁକ୍ତ କରାଯାଇଛି ।

ଗତବର୍ଷ ମଧ୍ୟ ହାଇକୋର୍ଟରେ ମାମଲା ଦାୟର କରିଥିଲା ବାଲୁ ବଜାର ଦୁର୍ଗା ପୂଜା କମିଟି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତବର୍ଷ ୭ଟି କମିଟି ଉଚ୍ଚ ମୂର୍ତ୍ତି କରିଥିବା ବେଳେ ଅନ୍ୟ କମିଟି ୪ ଫୁଟର ମୂର୍ତ୍ତି ନିର୍ମାଣ କରି ପୂଜା କରିଥିଲେ । ଅଗଷ୍ଟ ୯ ତାରିଖରେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ଵାରା ଜାରି ଅନ୍ୟ ସମସ୍ତ ଗାଇଡ଼ଲାଇନକୁ ମାନି ପୂଜା କରିବାରେ କୌଣସି ସମସ୍ୟା ନଥିବା ବାଲୁ ବଜାର ଦୁର୍ଗାପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଛି । ଶୁକ୍ରବାର ରାୟ ପ୍ରକାଶ ପାଇଲେ ହିଁ ଜଣା ପଡ଼ିବ ଯେ ମୂର୍ତ୍ତି ଉଚ୍ଚତା ପୂର୍ବ ଭଳି ରହିବ, ନା ସରକାରୀ ବିଜ୍ଞପ୍ତି ମୁତାବକ ପାଳିତ ହେବେ ଦଶହରା ପର୍ବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.