୧୦ଲକ୍ଷର ମୁଦ୍ରା ଜାରି କରିବାରେ ଭେନଜୁଏଲା ହେଲା ବିଶ୍ୱର ପ୍ରଥମ ଦେଶ, ଏଥିରେ ଭାରତରୁ କିଣି ହେବନି ଅଧଲିଟର ପେଟ୍ରୋଲ
6/03/2021 at 9:03 PM

କାରାକାସ: ଦକ୍ଷିଣ ଆମେରିକୀୟ ଦେଶ ଭେନଜୁଏଲା ମୁଦ୍ରାସ୍ପିତି ଓ ଆର୍ଥିକ ସଂକଟର ମୁକାବିଲା ଲାଗି ୧୦ ଲକ୍ଷ ବୋଲିଭରର ନୂଆ କରେନ୍ସି ନୋଟ ଜାରି କରିଛି। ଏପର୍ଯ୍ୟନ୍ତ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏତେ ମୂଲ୍ୟବର୍ଗର କରେନ୍ସି ଜାରି କରିନଥିବା ବେଳେ ବିଶ୍ୱରେ ଭେନଜୁଏଲା ପ୍ରଥମ ରାଷ୍ଟ୍ର ପାଲଟିଛି।

ଭେନେଜୁଏଲାର ବର୍ତ୍ତମାନ ମୁଦ୍ରାସ୍ପତି ହାର ଅନୁସାରେ ୧୦ଲକ୍ଷ ବୋଲିଭରର ମୂଲ୍ୟ ଆମେରିକୀୟ ଡଲାରର ଅଧା ଅର୍ଥାତ ଭାରତୀୟ ମୁଦ୍ରାରେ ୩୬ଟଙ୍କା। ଏଥିରେ ଭାରତରେ ଅଧଲିଟର ପେଟ୍ରୋଲ କ୍ରୟ କରିବା ମଧ୍ୟ ଅସମ୍ଭବ। ତୈଳ ସମ୍ପଦ ଯୋଗୁ ଏକଦା ସୁଖ ଓ ସ୍ୱାଚ୍ଛନ୍ଦ୍ୟରେ ଭରପୁର ଭେନଜୁଏଲା ଏବେ ଉତ୍କଟ ଦାରିଦ୍ର୍ୟତାର ଶିକାର ହୋଇଛି। ଲୋକେ ବ୍ୟାଗବ୍ୟାଗ୍ ଟଙ୍କା ନେଇ ପଲିଥିନ ପ୍ୟାକେଟରେ ଖାଦ୍ୟ କିଣୁଛନ୍ତି। ଏଣୁ ସରକାର ବଡ ଅଙ୍କର ନୋଟ ଜାରି କରିଛନ୍ତି।

ଆଗାମୀ ସପ୍ତାହରେ ଆସିବ ୨ ଓ ୫ ଲକ୍ଷ ଟଙ୍କାର କରେନ୍ସି
ଭେନେଜୁଏଲ କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଆର୍ଥିକ ଅବସ୍ଥାକୁ ଦେଖି ଏତେବଡ କରେନ୍ସି ନୋଟ ଜାରି କରିବାକୁ ପଡୁଥିବା କହିଛନ୍ତି। ଆଗାମୀ ସପ୍ତାହରେ ବ୍ୟାଙ୍କ ୨ଲକ୍ଷ ଓ ୫ଲକ୍ଷ ଟଙ୍କାର ବୋଲିଭିୟର ଜାରି କରିବେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛନ୍ତି। ଏବେ ବଜାର ପରିସ୍ଥିତି ନିୟନ୍ତ୍ରଣ ଲାଗି ଭେନଜୁଏଲାରେ ୧୦ ,୨୦ ଓ ୫୦ ହଜାର ବୋଲିଭିୟର ପ୍ରଚଳିତ ଅଛି। ଗୋଟିଏ ଭାରତୀୟ ଟଙ୍କାର ମୂଲ୍ୟ ଭେନେଜୁଏଲା ମୁଦ୍ରାରେ ଏବେ ୨୫ହଜାର ୫୮୪ .୬୬ ବୋଲିଭିୟର।

ଗତବର୍ଷରୁ ଅନୁମାନ କରାଯାଉଥିଲା
ଭେନେଜୁଏଲା ମୁଦ୍ରାସ୍ପିତି ଦେଖି ସରକାର ଆଗକୁ ଉଚ୍ଚମୂଲ୍ୟର ମୁଦ୍ରାର ସାହାରା ନେବେ ବୋଲି ଆକଳନ କରାଯାଉଥିଲା। ତେବେ ପରିସ୍ଥିତି ଆୟତ କରିବାରେ ସରକାର ବିଫଳ ହେବା ଯୋଗୁ ଉଚ୍ଚ ମୁଦ୍ରାର କରେନ୍ସି ଛାପିବାକୁ ବାଧ୍ୟ ହୋଇଛନ୍ତି। ଏହି ନୋଟର ମୁଦ୍ରଣ ଲାଗି ଇଟାଲୀରୁ ସ୍ୱତନ୍ତ୍ର ସିକ୍ୟୁରିଟି ପେପର କିଣା ହୋଇ ଆସିଛି। ଇଟାଲୀର ବ୍ୟାନ କ୍ୟାପିଟାଲ ଭେନଜୁଏଲାକୁ ୭୧ ଟନ ସିକ୍ୟୁରିଟି ପେପର୍ସ ଦେଇଥିବା ଜଣାପଡିଛି।

୧୦ ଲକ୍ଷ ଟଙ୍କାର ନୋଟ୍ କିଣିପାରିବ ମାତ୍ର ଅଧ କିଲୋ ଚାଉଳ
ଭେନେଜୁଏଲାରେ ୧୦ ଲକ୍ଷ ବୋଲିଭିୟର ସବୁଠୁ ବଡ ମୂଲ୍ୟ ବର୍ଗର ନୋଟରେ ପରିଣତ ହୋଇଛି। ହେଲେ କଣ ହେବ ଏହା ଆମେରିକୀୟ ଡଲାରର ମାତ୍ର ଅଧା ଦର। ଏଥିରେ ଦେଶରେ ୨ କେଜି ଆଳୁ ଅଥବା ଅଧକେଜି ଚାଉଳରୁ ଅଧିକ କିଛି କ୍ରୟ କରିହେବ ନାହିଁ।

୮ ବର୍ଷ ହେଲା ମାନ୍ଦାବସ୍ଥାରେ ଦେଶ
କରୋନା ଭାଇରସ ମହାମାରୀ ଲକଡାଉନ୍ ଦେଶର ଅବସ୍ଥାକୁ ଅହୁରି ଜଟିଳ କରିଦେଇଛି। ତୈଳ ବିକ୍ରିରୁ ମିଳୁଥିବା ଆୟ ବନ୍ଦ ହେବା ପରଠାରୁ ଦେଶ କ୍ରମାଗତ ଆର୍ଥିକ ଦୁଃସ୍ଥିତିରେ ଗତିକରିଆସୁଛି। ଫଳରେ ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ସପ୍ତମବର୍ଷ ପୁରଣ କରିବାକୁ ଯାଉଛି। ଏଣୁ ଦେଶର ଆର୍ଥିକ ଗତିବିଧି ବର୍ଷ ଶେଷ ବେଳକୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ସଙ୍କୁଚିତ ହୋଇସାରିଥିବ ବୋଲି ଆଶଙ୍କା କରାଯାଉଛି। ଭେନେଜୁଏଲାର ମୁଦ୍ରାସ୍ପିତି ଏବେ ୨ହଜାର ୬୦୦ ପ୍ରତିଶତରୁ ବି ଅଧିକ ହୋଇଯାଇଛି।