ରାଜ୍ୟରେ କମିଛି ଗାଡି ବିକ୍ରି, ଗତବର୍ଷ ତୁଳନାରେ ଖସିଲା ୧୮.୫୬ %

Published By : Prameya-News7 Bureau | October 11, 2020 IST

ଭୁବନେଶ୍ୱର,୧୧/୧୦: ଗତବର୍ଷ ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ଗାଡି ବିକ୍ରି ୧୮.୫୬% ହ୍ରାସ ଘଟିଛି। ୨୦୧୯ ସେପ୍ଟେମ୍ବରରେ ରାଜ୍ୟରେ ୫୯,୦୮୮ ସଂଖ୍ୟକ ଯାନ ପଞ୍ଜୀକରଣ ହୋଇଥିବାବେଳେ ଏ ବର୍ଷ ସମାନ ସମୟରେ ଏହା ୪୮,୧୧୯ ୟୁନିଟ୍‌କୁ ହ୍ରାସ ପାଇଛି । ଆଲୋଚ୍ୟ ସମୟରେ ରାଜ୍ୟରେ ମୋଟ ୩୯,୧୯୩ ୟୁନିଟ୍‌ ଦୁଇଚକିଆ ଯାନ ବିକ୍ରି ହୋଇଛି, ଯାହାକି ଗତବର୍ଷ ସେପ୍ଟେମ୍ବରରେ ୪୯,୫୦୨ ୟୁନିଟ୍‌ ଥିଲା ।

ସେହିଭଳି ଗତବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ୨,୧୯୩ ୟୁନିଟ୍‌ ତିନିଚକିଆ ଯାନ ପଞ୍ଜୀକରଣ ହୋଇଥିବାବେଳେ ଏ ବର୍ଷ ସମାନ ସମୟରେ ଏହା ୯୮୪ ୟୁନିଟ୍‌କୁ ସଙ୍କୁଚିତ ହୋଇଛି । ବାଣିଜ୍ୟିକ ଯାନ ବିକ୍ରି ଗତବର୍ଷର ୨,୩୬୦ ୟୁନିଟ୍‌ ତୁଳନାରେ ୧,୭୩୧ ୟୁନିଟ୍‌କୁ ହ୍ରାସ ପାଇଛି । ପାସେଞ୍ଜର ଭେଇକିଲ(ପିଭି) ବିକ୍ରି ପଞ୍ଜୀକରଣ ଗତବର୍ଷ ସେପ୍ଟେମ୍ବରରେ ୪,୦୦୬ ୟୁନିଟ୍‌ ଥିବାବେଳେ ଏ ବର୍ଷ ସମାନ ସମୟରେ ୪,୫୮୪ ୟୁନିଟ୍‌କୁ ବୃଦ୍ଧି ଘଟିଛି । ଏ କ୍ଷେତ୍ରରେ ୧୪.୪୩% ଅଭିବୃଦ୍ଧି ଦେଖାଦେଇଛି ।

ସେହିଭଳି ଗତବର୍ଷ ସେପ୍ଟେମ୍ବରରେ ୧,୦୨୭ ୟୁନିଟ୍‌ ଟ୍ରାକ୍ଟର ବିକ୍ରି ହୋଇଥିବାବେଳେ ଏ ବର୍ଷ ସେପ୍ଟେମ୍ବରରେ ଏହା ୧,୬୨୭ ୟୁନିଟ୍‌ ରହିଛି । ଏ କ୍ଷେତ୍ରରେ ୫୮.୪୨% ବୃଦ୍ଧି ଘଟିଛି । ଅଟୋମୋବାଇଲ ଡିଲର ମହାସଂଘ(ଫାଡା) ପ୍ରଦତ୍ତ ତଥ୍ୟରୁ ଏହା ଜଣାପଡ଼ିଛି ।

ଫାଡା ତଥ୍ୟ ଅନୁସାରେ, ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ଦେଶରେ ମୋଟ ଗାଡି ବିକ୍ରିରେ ୧୦.୨୪% ହ୍ରାସ ଘଟିଛି । ଆଲୋଚ୍ୟ ସମୟରେ ଦେଶରେ ମୋଟ ୧୩,୪୪,୮୬୬ ୟୁନିଟ୍‌ ଗାଡି ପଞ୍ଜୀକରଣ ହୋଇଛି, ଯାହାକି ଗତବର୍ଷ ସମାନ ସମୟରେ ୧୪,୯୮,୨୮୩ ୟୁନିଟ୍‌ ଥିଲା । ତେବେ ମାସିକ ଭିତ୍ତିରେ ଅର୍ଥାତ୍‌ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଗାଡି ପଞ୍ଜୀକରଣରେ ୧୧.୪୫% ବୃଦ୍ଧି ଘଟିଛି ।

ଦେଶରେ ମୋଟ ଦୁଇଚକିଆ ଯାନ ବିକ୍ରି ଏ ବର୍ଷ ସେପ୍ଟେମ୍ବରରେ ୧୦,୧୬,୯୭୭ ୟୁନିଟ୍‌ ରହିଛି, ଯାହାକି ୨୦୧୯ ସେପ୍ଟେମ୍ବରରେ ୧୧,୬୩,୯୧୮ ୟୁନିଟ୍‌ ଥିଲା । ତିନିଚକିଆ ଯାନ ବିକ୍ରିରେ ୫୮.୮୬% ହ୍ରାସ ଘଟିଛି । ଗତବର୍ଷ ସେପ୍ଟେମ୍ବରରେ ଦେଶରେ ମୋଟ ୫୮,୪୮୫ ୟୁନିଟ୍‌ ତିନିଚକିଆ ଯାନ ବିକ୍ରି ହୋଇଥିବାବେଳେ ଏ ବର୍ଷ ସେପ୍ଟେମ୍ବରରେ ଏହା ୨୪,୦୬୦ ୟୁନିଟ୍‌କୁ ହ୍ରାସ ପାଇଛି ।

ବାଣିଜ୍ୟିକ ଯାନ ବିକ୍ରି ଗତବର୍ଷର ୫୯,୬୮୩ ୟୁନିଟ୍‌ରୁ ୩୯,୬୦୦ ୟୁନିଟ୍‌କୁ ହ୍ରାସ ପାଇଛି । ସେହିଭଳି ପିଭି ବିକ୍ରି ଗତବର୍ଷର ୧,୭୮,୧୮୯ ୟୁନିଟ୍‌ରୁ ୧,୯୫,୬୬୫ ୟୁନିଟ୍‌କୁ ବୃଦ୍ଧି ପାଇଛି। ଟ୍ରାକ୍ଟର ବିକ୍ରିରେ ବି ବୃଦ୍ଧି ଘଟିଛି । ଗତବର୍ଷ ସେପ୍ଟେମ୍ବରରେ ଦେଶରେ ୩୮,୦୦୮ ୟୁନିଟ୍‌ ଟ୍ରାକ୍ଟର ବିକ୍ରି ହୋଇଥିବାବେଳେ ଏ ବର୍ଷ ସମାନ ସମୟରେ ଏହା ୬୮,୫୬୪ ୟୁନିଟ୍‌କୁ ବୃଦ୍ଧି ପାଇଛି।

ଫାଡା ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି ଯେ,ସରକାରଙ୍କ ଅବିରତ ଉଦ୍ୟମ ଯୋଗୁ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଗାଡି ପଞ୍ଜୀକରଣ ବୃଦ୍ଧି ପାଇଛି । ତେବେ ବାର୍ଷିକ ଭିତ୍ତିରେ ବିକ୍ରି ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.