ଦୈନିକ ହାଟ ବନ୍ଦ, ବାହାରେ ବିକ୍ରି ପାଇଁ ନାହିଁ ବ୍ୟବସ୍ଥା : ରାସ୍ତାରେ ପରିବା ଢାଳି ପ୍ରତିବାଦ କଲେ ପରିବା ବିକ୍ରେତା

Published By : Prameya-News7 Bureau | April 06, 2021 IST

ଝାରସୁଗୁଡା ।୪: ଝାରସୁଗୁଡା ସହରରେ ପରିବା ବିକ୍ରେତାଙ୍କ ଅଭିନବ ଉପାୟରେ ଆନ୍ଦୋଳନ । ରାସ୍ତା ଉପରେ ପରିବା ଢାଳି କଲେ ରାସ୍ତାରୋକ । ଦୈନିକ ହାଟ ବନ୍ଦ ନିଷ୍ପତ୍ତି ପରେ ଏକମାତ୍ର ଦୈନିକ ବଜାରରେ ପରିବା ବିକାଳୀଙ୍କୁ ଏକତ୍ରିତ ହେବାର ସୁଯୋଗ ଦିଆ ନଯିବା ପ୍ରତିବାଦ କରୁଛନ୍ତି ପରିବା ବିକ୍ରେତା । ସାପ୍ତାହିକ ହାଟ ଶନିବାରଠାରୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ଢ଼ାଳି ପରିବା ବିକାଳୀ ପ୍ରତିବାଦ କରିଛନ୍ତି ।

{"id":433835,"width":839,"height":461,"sizeSlug":"large","linkDestination":"none"}

ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ଯୋଗୁଁ ବନ୍ଦ କରିଦିଆଯାଇଛି । ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଏବଂ ପରିବା ବ୍ୟବସାୟୀମାନେ ପରିବା ବିକ୍ରି କରି ନ ପାରି ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ଓ ଦୈନିକ ହାଟ ବନ୍ଦ କରିଦିଆଯାଇଛି । ସହରର ବିଭିନ୍ନ ସ୍ଥାନରେ ପରିବା ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପରିବା ବିକାଳୀଙ୍କ ଅଭିଯୋଗ ହେଲା କେଉଁ ସ୍ଥାନରେ ବିକ୍ରି କରିବେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇନାହିଁ । ମଙ୍ଗଳବାର ବଜାର ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀ ଓ ବ୍ୟବସାୟୀ ପରିବା ଧରି ପହଞ୍ଚିବା ପରେ ଏଠାରେ ବିକ୍ରି କରିବା ପାଇଁ ପୋଲିସ ପକ୍ଷରୁ ବାରଣ କରାଯାଇଥିଲା । ଯାହା ଫଳରେ ବ୍ୟବସାୟୀଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ରାସ୍ତା ଉପରେ ପନିପରିବା ଢାଳି ପ୍ରତିବାଦ କରିଥିଲେ । ପ୍ରାୟ ୪ ଘଣ୍ଟାର ଆନ୍ଦୋଳନ ହୋ ହଲ୍ଲା ପରେ ଝାରସୁଗୁଡା ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ପୋଲିସ ଉତ୍ତେଜିତ ବ୍ୟବସାୟୀଙ୍କ ସହ ଆଲୋଚନା କରି ହାଟ ଖୋଲିବାକୁ ଅନୁମତି ଦେଇ ଅପରାହ୍ନରେ କଟକଣା ସମ୍ପର୍କରେ ଆଲୋଚନା ପାଇଁ ଏକ ବୈଠକରେ ସାମିଲ ହେବାକୁ ପରାମର୍ଶ ଦେବା ପରେ ଆନ୍ଦୋଳନ ଭଙ୍ଗ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.