ରାଜଧାନୀ ଦିଲ୍ଲୀରେ ପରିବା ଦର ଆକାଶ ଛୁଆଁ, ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା, ଖାଉଟି, ବ୍ୟବସାୟୀ ଉଭୟ ହତାସ

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨।୧୦:  ଜାତୀୟ ରାଜଧାନୀ ଦିଲ୍ଲୀରେ ପନିପରିବାର ଦର ଏବେ ଆକାଶ ଛୁଇଁଛି।  ପ୍ରତି ସାମଗ୍ରୀ ମୂଲ୍ୟରେ ଅନୁନ୍ୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ଦରବୃଦ୍ଧି ଖାଉଟିଙ୍କୁ ନିରାଶ କରିଥିବା ବେଳେ ବ୍ୟବସାୟ ହ୍ରାସରେ ବେପାରୀ ବି ହତାସ ହୋଇପଡିଛନ୍ତି। ପାଇକାରୀ ବ୍ୟବସାୟୀ ଯୋଗାଣ ଅନିୟମିତତା ଲାଗି ବର୍ଷା ଓ ପାଣିପାଗକୁ ଦାୟି କରୁଥିବା ବେଳେ ଇନ୍ଧନ ଦରବୃଦ୍ଧିକୁ ମୂଲ୍ୟ ବୃଦ୍ଧିର ମୁଖ୍ୟକାରଣ ବୋଲି କହୁଛନ୍ତି। ସାଧାରଣତଃ ବର୍ଷା ଋତୁ ପରେ ପ୍ରତିବର୍ଷ ପନିପରିବା ଦରବୃଦ୍ଧି ହୁଏ। ହେଲେ ଚଳିତବର୍ଷ ପରିସ୍ଥିତି ଭିନ୍ନ ବୋଲି ଆଜାଦପୁର ମଣ୍ଡିର ସଭାପତି ଆଦିଲ ଖାନ କହିଛନ୍ତି।

ତେବେ ସବୁଠୁ ଯାହା ଚିନ୍ତାଜନକ ତାହା ହେଉଛି ଇନ୍ଧନ ଦରବୃଦ୍ଧି। ତୈଳ କମ୍ପାନୀମାନେ ଯେଉଁପରି ଇନ୍ଧନ ଦର ବଢାଇ ଚାଲିଛନ୍ତି ଏଥିରେ ସାମଗ୍ରୀ ଦରକୁ ପରିବହନ ଖର୍ଚ୍ଚ ବଳାଇ ଯାଉଥିବା ସେ କହିଛନ୍ତି। ବର୍ଷାରେ ଅନେକ ଅଞ୍ଚଳର ଚାଷ ନଷ୍ଟ ହୋଇଥିଲା। ଯାହାବି ଅମଳ ହେଉଛି ତାକୁ ବୁହାଇକି ଆଣି ମଣ୍ଡିରେ ପହଞ୍ଚାଇବା ଓ ବିକ୍ରି କରିବା ଏବେ କାଠିକର ପାଠ ହୋଇଯାଇଛି। ବର୍ଷାଦିନିଆ ପରିବା ଚାଷ ପ୍ରାୟ ସମାପ୍ତ ହୋଇଛି। ଏଣୁ ସବୁ ପ୍ରକାର ପନିପରିବା ସଂଗ୍ରହ ସମ୍ଭବ ହେଉନଥିବା ବେଳେ ଯାହା ମିଳୁଛି ତାହା ମଧ୍ୟ ଚଢ଼ାଦର। ଏଥିର ଲୋକଙ୍କୁ ସୁଲଭ ମୂଲ୍ୟରେ କିପରି ଯୋଗାଇ ହେବ ସେ ନେଇ ଆଦିଲ ଚିନ୍ତାବ୍ୟକ୍ତ କରିଛନ୍ତି।

{"id":526278,"sizeSlug":"full","linkDestination":"none"}

ଦିଲ୍ଲୀକୁ ଭିନ୍ନ ଭିନ୍ନ ରାଜ୍ୟରୁ ପରିବା ଆସୁଛି। ଆଜାଦପୁର ମଣ୍ଡି ଦିଲ୍ଲୀ ଏନସିଆର ଓ ଉତ୍ତର ଭାରତକୁ ପରିବା ଯୋଗାଇବାର ମୁଖ୍ୟ ଦାୟିତ୍ୱ ନିର୍ବାହ କରୁଛି। ଏଣୁ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ କେବଳ ପରିବହନ ବାବଦକୁ ୧୫ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଥିବା ଆଦିଲ କହିଛନ୍ତି। ଯାହର ପ୍ରଭାବ ପନିପରିବା ଓ ଫଳ ଉପରେ ପଡିବା ସ୍ୱଭାବିକ ବୋଲି ସେ କହିଛନ୍ତି। ମୌସୁମୀ ଅପସାରଣ ସହ ଅନେକ ଅଞ୍ଚଳରୁ ବର୍ଷା ଛାଡିଗଲାଣି। ଏବେ ମଣ୍ଡିକୁ ଫଳ ପନିପରିବା ପହଞ୍ଚିବାରେ ସେପରି କୌଣସି ଅସୁବିଧା ନାହିଁ। ତେବେ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ଭଡା ବୃଦ୍ଧି କାରଣରୁ ଲୋକେ ଦରବୃଦ୍ଧିର ସମ୍ମୁଖୀନ ହୋଇଥିବା ସେ କହିଛନ୍ତି। ତୈଳ ମୂଲ୍ୟ ହ୍ରାସ ସହ ପରିବହନ ଦର ହ୍ରାସ ପନିପରିବା ମୂଲ୍ୟ ହ୍ରାସରେ ସହାୟକ ହେବ ବୋଲି ସେ କହିଛନ୍ତି।
ଏମିତିରେ ବର୍ଷା ଋତୁ ଶେଷରେ ପନିପରିବା ଦର ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥାଏ। ତେବେ ବଜାରକୁ ନୂଆ ଫସଲ ଆସିବା ସହ ମୂଲ୍ୟ ମଧ୍ୟ ହ୍ରାସ ହୋଇଥାଏ। ଏବେ ବଜାରକୁ ନୂଆ ଫସଲ ଆସିବାର ସମୟ ହୋଇନଥିବା ବେଳେ ବର୍ଷାଦିନିଆ ପନିପରିବା ଦର ଉଚ୍ଚ ହେବାରେ ଲାଗିଛି। ଗତ ସପ୍ତାହରେ ରାଜଧାନୀ ଦିଲ୍ଲୀରେ ଟମାଟୋ ପ୍ରତି କେଜି ୧୦ରୁ ୨୦ ଟଙ୍କା ଦରରେ ବିକ୍ରି ହେଉଥିଲା। ହେଲେ ଏବେ ୪୦ ଟଙ୍କାରେ ବିକ୍ରି ହେଉଛି। ଗତ ଦିନରେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ହୋଇଥିବା ବର୍ଷା ଟମାଟୋ ଫସଲ ନଷ୍ଟ କରିଦେଇଛି। ଏଣୁ ବଜାରରେ ଏବେ ଟମାଟୋ ଚାହିଦା ଅନୁସାରେ ଯୋଗାଣ ନାହିଁ। ଫଳରେ ଦରବୃଦ୍ଧି ହୋଉଥିବା ଓଖଲା ମଣ୍ଡିର ଜନୈକ ବ୍ୟବସାୟୀ କହିଛନ୍ତି।

{"id":526279,"sizeSlug":"full","linkDestination":"none"}

ସେପଟେ କୋଭିଡ ପରେ ଲୋକଙ୍କ ଆୟ ହ୍ରାସ ହୋଇଛି। କ୍ରୟ କ୍ଷମତା ହ୍ରାସ ମଧ୍ୟ ବଜାରରେ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଲୋକେ ଦର ଶସ୍ତା ଥିବା ବେଳେ ବି କମ୍‌ କିଣୁଥିଲେ। ମହଙ୍ଗାରେ ବି ଏବେ କମରେ କାମ ଚଳାଉଛନ୍ତି। ଲୋକେ ଅଢେଇଶ ୩ଶହ ଗ୍ରାମ ପରିବା ନେଇ ଘର ଚଳାଇବାକୁ ଉଦ୍ୟମ କରୁଥିବା ପରିବା ବ୍ୟବସାୟୀ କହିଛନ୍ତି। ଯେହେତୁ ଲୋକେ କମ କ୍ରୟ କରୁଛନ୍ତି ବଜାର ଆବଶ୍ୟକତା ଦେଖି କମ୍‌ ସାମଗ୍ରୀ ମଧ୍ୟ ଆସୁଛି। ଏଣୁ ପରିସ୍ଥିତି କେବଳ ଖାଉଟିଙ୍କୁ ନୁହେଁ ବ୍ୟବସାୟୀଙ୍କ ଲାଗି ମଧ୍ୟ ଚିନ୍ତାଜନକ ହୋଇଛି। କେବଳ ପନିପରିବା ନୁହେଁ ଖାଉଟି ସାମଗ୍ରୀ କ୍ଷେତ୍ରରେ ମଧ୍ୟ ଜାତୀୟ ରାଜଧାନୀରେ ସମାନ ପରିସ୍ଥିତି ଉପୁଜିଛି। ଏଣୁ ବ୍ୟବସାୟ ଶେଷ ହୋଇଗଲା ବୋଲି ବେପାରୀ କହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.