ଫୋନି ବାତ୍ୟା ପରେ ରାଜଧାନୀ ପରିବା ବଜାରରେ ନିଆଁ

Published By : Prameya-News7 Bureau | May 15, 2019 IST

ଭୁବନେଶ୍ବର (ଅମର ପଟ୍ଟନାୟକ) ୧୫|୫: ସାମୁଦ୍ରିକ ଝଡ ଫୋନି ଯିବାର ୧୧ ଦିନ ପରେ ମଧ୍ୟ ରାଜଧାନୀ ଭୁବନେଶ୍ବର ଓ ପୁରୀ ଭଳି ସହରରେ ସ୍ଥିତି ସ୍ବାଭାବିକ ହୋଇନାହିଁ । ଗ୍ରାମାଞ୍ଚଳ ଅବସ୍ଥା ଆହୁରି ସଙ୍ଗୀନ, ଲୋକଙ୍କ ନିକଟରେ ପାଣି, ବିଜୁଳି ଓ ଖାଦ୍ୟ ପହଞ୍ଚିବା କଷ୍ଟ ହେଉଥିବା ବେଳେ ଦାଉ ସାଧିଛି ପନିପରିବା ଦର । ପରିବା ବଜାରରେ ସ୍ଥିତି ସାଧାରଣ ଲୋକଙ୍କୁ ବାଧୁଛି। ଅଭିଭକ୍ତ ପୁରୀ ଜିଲ୍ଲାର ପିପିଲିଠାରୁ ଆରମ୍ଭ କରି ସୀମାନ୍ତ କଟକ ଜିଲ୍ଲାର ପନିପରିବା ଉତ୍ପାଦନ ସଂପୂର୍ଣ୍ଣ ଉଜୁଡି ଯାଇଛି । ଚାଷୀ ମୁଣ୍ଡରେ ହାତଦେଇ ବସିଥିବା ବେଳେ ଖୁଚୁରା ବ୍ୟବସାୟୀ ନିର୍ଭର କରୁଛନ୍ତି ବାହାରୁ ଆସୁଥିବା ପନିପରିବା ଉପରେ ।  ତେଣୁ ବଜାରରେ ପରିବା ଦର ଚଢା ରହୁଥିବା କହୁଛନ୍ତି ବ୍ୟବସାୟୀ ।

{"id":112049}

ରାଜଧାନୀର ଏକ ନମ୍ବର ହାଟ, ସହିଦ ନଗର ହାଟ, ଇନ୍ଦ୍ରଧନୁ ମାର୍କେଟ, ଡମଣା, ଚନ୍ଦ୍ରଶେଖରପୁର ଓ ଭିଏସ୍‌ଏସ୍‌ ନଗର ଭଳି ହାଟରେ ପରିବା ବ୍ୟବସାୟୀଙ୍କ ସଂଖ୍ୟା କମିଯାଇଥିବା ବେଳେ ଆକାଶ ଛୁଆଁ ରହିଛି ପରିବାର ଦର । ବାଇଗଣ ୬୦ ଟଙ୍କା, ଜହ୍ନି ୮୦, ବିନ୍ସ ୧୨୦, ପୋଟଳ ୮୦, ଭେଣ୍ଡି ୬୦, କଲରା ୬୦, ବିଲାତି ବାଇଗଣ ୮୦, ଗାଜର ୫୦, ବୋଇତାଳୁ ୪୦ ଅମୃତଭଣ୍ଡା ୩୨, ସଜନା ଛୁଇଁ ୮୦, କ୍ୟାପସିକମ୍‌ ୮୦, କାକୁଡି ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କଞ୍ଚା ଲଙ୍କା ଶହେ ଗ୍ରାମକୁ ୧୫ଟଙ୍କାରେ ବିକ୍ରି ହେଉଛି । ଲୋକେ ବର୍ତ୍ତମାନ କେଜି କିମ୍ବା ଅଧ କେଜିର ପରିବା କିଣିବା ଛାଡି ଅଢେଇ ଶହ ଗ୍ରାମ ହିସାବରେ କିଣୁଛନ୍ତି । ସେହିପରି ଆଳୁ ୨୦ ଟଙ୍କା, ପିଆଜି କିଲୋ ୨୦ ଟଙ୍କା, ରସୁଣ କେଜି ୧୦୦ରୁ ୧୨୦ ଟଙ୍କା, ଅଦା କେଜି ୧୫୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି । ବିଦ୍ୟୁତ ରହୁନଥିବା ଓ ବରଫ ନମିଳିବା କାରଣରୁ ବଜାରରେ ମାଛ ଦର ମଧ୍ୟ ବୃଦ୍ଧି ପାଇଛି ।

{"id":112050,"width":577,"height":326}

ଫୋନି ପରବର୍ତ୍ତି ସ୍ଥିତିରେ ଲୋକଙ୍କ ପାଇଁ ପରିବା ଦର ବୋଝ ଉପରେ ନଳିତା ବିଡା ଭଳି ହୋଇଛି । ଗରିବ ଗୁରୁବାଙ୍କ ପାଇଁ ପରିବା ତରକାରି ସାତସପନ ପାଲଟିଛି । ଫୋନି ପୂର୍ବରୁ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଜନା ଶାଗ ଏକ ଶସ୍ତା ଓ ସୁଲଭ ଜିନିଷ ଥିଲା । ଏବେ ଲୋକେ ଖୋଜିଲେ ମଧ୍ୟ ସଜନା ଶାଗ ପାଇବା କଷ୍ଟ ହୋଇଛି । ସବୁ ଗଛ ନଷ୍ଟ ହୋଇଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ବିଦ୍ୟୁତ କାଟ ଯୋଗୁଁ ମଧ୍ୟ ଲୋକେ ଘରକୁ ପରିବା ଆଣି ଫ୍ରିଜ୍‌ରେ ରଖିବା କଥା ଚିନ୍ତା କରୁନାହାନ୍ତି ।

{"id":112051}

ଫୋନି ପୂର୍ବରୁ ହାଟ ବଜାରରେ ରାତି ବଢିବା ସହିତ, କ୍ୟାଣ୍ଟିନ ଓ ରାସ୍ତାକଡ ହୋଟେଲ ବାଲାଙ୍କ ଭିଡ ଦେଖିବାକୁ ମିଳେ ରାଜଧାନୀର ହାଟରେ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ସେମାନେ ନିରାଶ ହେଉଛନ୍ତି । ଚଢା ଦରରେ ପରିବା କିଣା ଆଉ ପ୍ରବଳ ଗୁଳୁଗୁଳିରେ ପରିବା ପଚିବା ସହିତ ନଷ୍ଟହେବା କାରଣରୁ ଅଧିକାଂଶ ଖୁଚୁରା ବ୍ୟବସାୟୀ ଦର କମାଇବାକୁ ପ୍ରସ୍ତୁତ ନାହାନ୍ତି । ତେଣୁ କିଣା ଚଢା ଓ ବିକ୍ରି ମଧ୍ୟ ଚଢା ଦରରେ କରୁଛନ୍ତି । ତେଣିକି ଯାହାର ଇଛା ସେ ନେବ କିମ୍ବା ନହେଲେ ନନେବ । ପରିସ୍ଥିତି ଏପରି ହୋଇଛି ଯେ ରାସ୍ତାକଡ ଢାବା ଓ ହୋଟେଲ ଗୁଡିକରେ ମଧ୍ୟାନ୍ନ କିମ୍ବା ରାତ୍ରି ଭୋଜନ ସମୟରେ ଦିଆଯାଉଥିବା ପିଆଜ ମଧ୍ୟ ବନ୍ଦ କରାଯାଇଛି । ଖାଲି ସେତିକି ନୁହେଁ  ଡାଲ୍‌ମା ଓ ଘାଣ୍ଟ ତରକାରୀ ଭଳି ଆଇଟମ୍‌ ମଧ୍ୟରୁ କେତେକ ସବୁଜ ପରିବା ଉଭାନ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.