ଆଜି ଗଞ୍ଜାମ ଜିଲ୍ଲାର ‘ତିତଲି’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | October 17, 2018 IST

ଭୁବନେଶ୍ବର ୧୭|୧୦: ଆଜି ‘ତିତଲି’ ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ତିତଲି’ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଗଙ୍ଗାବାଡ ପଞ୍ଚାୟତର ବାରଘର ଗାଁ ବନ୍ୟା ଓ ବାତ୍ୟାରେ ଧ୍ବଂସ ସ୍ତୁପ ପାଲଟି ଯାଇଛି । ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି ବାରଘର ଗାଁରେ । ପାହାଡ ଧସି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ କହୁଥିବା ବେଳେ ଏଯାଏଁ ୧୮ ଜଣଙ୍କ ମୃତଦେହ ମିଳିସାରିଲାଣି । ସକାଳ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ୧୧ ଟା ୪୫ରେ ମୁଖ୍ୟମନ୍ତ୍ରୀ ଗଙ୍ଗାବାଡ ପଞ୍ଚାୟତରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଗଙ୍ଗାବାଡ ପଞ୍ଚାୟତର ଚମ୍ପାପୁରରେ ହେଲିକପ୍ଟରରୁ ଓହ୍ଲାଇବା ପରେ ବାତ୍ୟା ପ୍ରଭାବିତ ଗାଁକୁ ଗସ୍ତ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହାସହ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିବେ । ସେଠାରୁ ଫେରି ମୁଖ୍ୟମନ୍ତ୍ରୀ ଭଞ୍ଜନଗର ଯିବେ । ବନବିଭାଗ ଡାକବଙ୍ଗଳାରେ ଗଞ୍ଜାମ ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.