ସମୁଦ୍ର ଅଶାନ୍ତ ହେବା ସହ କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା : ଆସନ୍ତାକାଲି ଗୁଜରାଟ ଉପକୂଳ ଅତିକ୍ରମ କରିବ ବାୟୁ
12/06/2019 at 7:29 PM

ଅହମଦାବାଦ ୧୨/୬: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ବାୟୁ ଏବେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି । ଆସନ୍ତାକାଲି ଗୁଜରାଟ ପୋର ବନ୍ଦର ଓ ବହୁଭା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଆଇଏମ୍ ଡି ସୂଚନା ଦେଇଛି । ଏବେ ଗୁଜରାଟର କିଛି ସ୍ଥାନରେ ବର୍ଷା ଓ ପବନ ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ବାତ୍ୟା ଗୁଜରାଟରୁ ୩୪୦ କିଲୋମିଟର ଦୂରରେ ଥିବା ବେଳେ ଘଣ୍ଟାପ୍ରତି ୧୮ କିମି ବେଗରେ ସ୍ଥଳଭାଗ ଆଡକୁ ମାଡିଆସୁଛି ।

ସମୁଦ୍ର ଅଶାନ୍ତ ହେଲାଣି । କିଛି ସ୍ଥାନରେ ବର୍ଷା ଛେଚିଲାଣି। ଆଉ କିଛି ସ୍ଥାନରେ ଜୋର ଧରିଲାଣି ଧୂଳିଝଡ଼। ଏ ହେଉଛି ଗୁଜରାଟର ସୋମାନଥ ମନ୍ଦିରର ଦୃଶ୍ୟ। ଏଠାରେ କେମିତି ବର୍ଷ ଲାଗି ରହିଛି ଦେଖନ୍ତୁ। ଆଉ ଏଣେ ଦେଖନ୍ତୁ ସମୁଦ୍ରକୂଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଉଛି। ମୋର୍ବିର ବସ୍ତିବାସିନ୍ଦାଙ୍କୁ ବସରେ ବସାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଏ ହେଉଛି ଡିଉର ଦୃଶ୍ୟ ଏଠାରେ ସମୁଦ୍ରରେ ଉଚ୍ଚ ଲହଡ଼ି ଆସିଲାଣି। ଲୋକଙ୍କୁ ସମୁଦ୍ର କୂଳରୁ ହଟାଯାଉଛି। ସେହିପରି ସାମାନ୍ୟ ପବନରେ ସ୍ଥିତି ବେହାଲ ହେଲାଣି। ମୁମ୍ବାଇରେ ଛୋଟମୋଟ ଗଛ ଉପୁଡ଼ି ପଡ଼ିଲାଣି। ସାମୁଦ୍ରିକ ଝଡ଼ ବାୟୁ ଯେତିକି ଯେତିକି ଘନୀଭୁତ ହେଉଛି ଏବଂ ଉପକୂଳ ମୁହାଁ ହେଉଛି। ସେତିକି ସେତିକ ଭୟ ବଢ଼ିବାରେ ଲାଗିଛି।

ଆସନ୍ତାକାଲି ଗୁଜରାଟ ଉପକୂଳ ଅତିକ୍ରମ କରିବ ବାୟୁ। ‘ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୪୦ରୁ ୧୬୫ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି। ବାତ୍ୟା ବାୟୂ ପ୍ରଭାବରେ ଗୁଜୁରାଟ, ମହାରାଷ୍ଟ୍ର, କେରଳ ଏବଂ ଲାକ୍ଷାଦ୍ବୀପରେ ଦୁଇଦିନ ଧରି ପ୍ରବଳ ବର୍ଷା ଓ ପବନ ଲାଗି ରହିବ । ଏହି ସାମୁଦ୍ରିକ ଝଡକୁ ନେଇ ଗୁଜରାଟ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଟାର୍ଗେଟ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ଡଙ୍ଗାଗୁଡ଼ିକୁ ସୁରକ୍ଷିତ ଭାବେ ବାନ୍ଧି ରଖିବା ଲାଗି ପରାମର୍ଶ ଦିଆଯାଇଛି। ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏନଡିଆରଏଫ ମୁତୟନ କରାଯାଇଛି। ସେହିପରି ନୌସେନା, ସେନା ଓ ବାୟୁସେନା ଟିମ୍ କୁ ମଧ୍ୟ ସଜାଗ ରଖାଯାଇଛି।

ଭୟାବହତା ଦୃଷ୍ଟିରୁ ବାୟୁ ଫୋନିଠାରୁ ବଡ଼ ନୁହେଁ। ତେବେ ଏହାଯୋଗୁଁ କ୍ଷୟକ୍ଷତି ଆଶଙ୍କା କରାଯାଉଛି। ବାରମ୍ବାର ବାତ୍ୟା ମୁକାବିଲା କରୁଥିବା ଓଡ଼ିଶା ସରକାରଙ୍କ ସାହାଯ୍ୟ ନେଇଛନ୍ତି ଗୁଜରାଟ ସରକାର। ମୁଖ୍ୟ ଶାସନ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହିତ କଥା ହୋଇଛନ୍ତି ଗୁଜରାଟର ମୁଖ୍ୟ ଶାସନ ସଚିବ।

ବାୟୁକୁ ନେଇ କେନ୍ଦ୍ର ସରକାର ମଧ୍ୟ ଜରୁରୀ ବୈଠକ କରିଛନ୍ତି। ଗୃହମନ୍ତ୍ରୀ ରାଜାନାଥ ସିଂହ ସ୍ଥିତିର ଆଗୁଆ ସମୀକ୍ଷା କରିଛନ୍ତି।