କମିଲା ପୁଣି ତୈଳ ଦର, ପେଟ୍ରୋଲ ଓ ଡିଜେଲ ଉପରୁ ୩ଟଙ୍କା ଭ୍ୟାଟ୍ ହ୍ରାସ

Published By : Prameya-News7 Bureau | November 04, 2021 IST

ଭୁବନେଶ୍ବର ୪।୧୧: ପୁଣି ହ୍ରାସ ପାଇଲା ତେଲ ଦର । ଦୀପାବଳିରେ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଭ୍ୟାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଭ୍ୟାଟ୍ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ଘୋଷଣ କରିଛନ୍ତି । ତେବେ ରାଜ୍ୟ ସରକାର ତୈଳ ଦରରୁ ୩ଟଙ୍କା ଭ୍ୟାଟ୍ ହ୍ରାସ କରିଥିବା ସୂଚନା ମିଳିଛି । ତେବେ ଏଥିଯୋଗୁଁ ପୁଣି ତୈଳ ଦର ହ୍ରାସ ପାଇଛି । ଯାହା ସାଧାରଣ ଲୋକଙ୍କୁ କିଛି ଆଶ୍ବସ୍ତି ଦେଇଥିବା କୁହାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ତୈଳ ଦରରୁ ଉତ୍ପାଦ ଶୁଳ୍କ କମାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହାପରେ ଗୁରୁବାର ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଭ୍ୟାଟ୍‌ ହ୍ରାସ କରିଛନ୍ତି ଓଡିଶା ସରକାର । ରାଜ୍ୟ ସରକାରଙ୍କ ଭ୍ୟାଟ୍ ହ୍ରାସ ଘୋଷଣା ପରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଅତିରିକ୍ତ ୩ ଟଙ୍କା ରିହାତି ମିଳିବ । ତେବେ ନୂଆ ଦର ଗୁରୁବାର ମଧ୍ୟରାତ୍ରରୁ ଲାଗୁ ହେବ ବୋଲି ସୂଚନା ମିଳିଛି ।

ଦେଶରେ ହୁ ହୁ ହୋଇ ବଢି ଚାଲିଥିଲା ପେଟ୍ରୋଲ ଓ ଡିଜେଲ୍ ଦର । ତୈଳ ଦର ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ମଧ୍ୟ ସେହି ଅନୁସାରେ ବଢି ଚାଲିଥିଲା । ମହଙ୍ଗା ମାଡରେ ଜନତା କଲବଲ ହେଉଥିଲେ । ଫଳରେ କେନ୍ଦ୍ର ସରକାରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଥିଲା । ତାର ପରିଣାମ ଉପ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ମାଟି କାମୁଡିବା ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଥିଲା । ତୈଳ ଦରରୁ ଉତ୍ପାଦ ଶୁଳ୍କ କମାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.