ରାଜସ୍ଥାନ ବିଜେପିରେ କେଁ, ବଢୁଛି ଗୋଷ୍ଠୀକନ୍ଦଳ: ବସୁନ୍ଧରାଙ୍କ ସମର୍ଥକ ଗଢିଲେ ଅଲଗା ସଂଗଠନ, ସଭାପତି କହିଲେ...

Published By : Prameya-News7 Bureau | January 09, 2021 IST

ଜୟପୁର ୦୯।୦୧: ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପିରେ ଦଳୀୟ କନ୍ଦଳ ତୀବ୍ରତର  ହେବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଅଣଦେଖା କରିବାରୁ ତାଙ୍କ ଅସନ୍ତୁଷ୍ଟ ସମର୍ଥକ ବର୍ତ୍ତମାନ ରାଜସ୍ଥାନରେ ବିଜେପିଠୁ ଅଲଗା ନିଜର ଏକ ନୂତନ ରାଜନୈତିକ ମଞ୍ଚ ଗଠନ କରିଛନ୍ତି। ଏହାର ନାମ 'ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ' ଦିଆଯାଇଛି। ଏହା ବ୍ୟତୀତ ଟିମ୍ ବସୁନ୍ଧରା ନାମରେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏହି ମଞ୍ଚର ଅଲଗା ସଂଗଠନ କରାଯାଇଛି।

ଏପରିକି ରାଜସ୍ଥାନରେ ବସୁନ୍ଧରା ସମର୍ଥକ ପ୍ରତି ଜିଲ୍ଲାରେ ନିଜର ଜିଲ୍ଲା ସଭାପତି ନିଯୁକ୍ତ କରିବା ଆରମ୍ଭ କରି ଦେଇଛନ୍ତି। ଏହା ବ୍ୟତୀତ ଯୁବ ସଂଗଠନ ଓ ମହିଳା ସଂଗଠନ ମଧ୍ୟ ପ୍ରସ୍ତୁତ କରାଯାଉଛି। ବିଜେପିରେ ଏହିପରି ଘଟଣା ପ୍ରଥମ  ଥର ଘଟିଛି, ଯେଉଁଠି ଯୁବ ସଂଗଠନ ଏବଂ ମହିଳା ସଂଗଠନ ମଧ୍ୟ ପ୍ରସ୍ତୁତ କରାଯାଉଛି। କେବଳ ଏତିକି ନୁହେଁ ପ୍ରଥମ ଥର ପାର୍ଟି ସଂଗଠନରୁ ଅଲଗା ହୋଇ କୌଣସି ନେତାଙ୍କ ସମର୍ଥକ ଅଲଗା ସଂଗଠନ ପ୍ରସ୍ତୁତ କରୁଛନ୍ତି।

ବସୁନ୍ଧରା ସମର୍ଥକ ମଞ୍ଚର ରାଜ୍ୟ ସଭାପତି ବିଜୟ ଭରଦ୍ଵାଜ କହିଛନ୍ତି, ମୁଁ ୨୦୦୩ରେ ବସୁନ୍ଧରା ରାଜେ ସିନ୍ଧିଆଙ୍କ କାରଣରୁ ଜନତା ଦଳ ଛାଡି ବିଜେପିରେ ସାମିଲ ହୋଇଥିଲି ଏବଂ ତେବେଠୁ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ରହିଛି। ବିଜେପିର ଆମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ ରହିଛି। ଏହା ବ୍ୟତୀତ ବିଧି ପ୍ରକୋଷ୍ଠର ସଭାପତି ମଧ୍ୟ ରହିଛନ୍ତି। ଆମେ ବସୁନ୍ଧରା ରାଜେଙ୍କୁ ମଜବୁତ କରିବାକୁ ଚାହୁଁଥିବା ଭରଦ୍ଵାଜ କହିଛନ୍ତି।

ବସୁନ୍ଧରା ରାଜେ ବହୁତ ଲୋକପ୍ରିୟ ନେତା ଏବଂ ସେ  ଯେବେ ମଜବୁତ ହେବ ବିଜେପି ମଧ୍ୟ ଆହୁରି ଦୃଢ ହେବ। ବସୁନ୍ଧରା ରାଜେ ରାଜସ୍ଥାନକୁ ପଛୁଆ ରାଜ୍ୟରୁ ବାହାର କରି ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିଛନ୍ତି। ଏଥିପାଇଁ ଆମେ ସ୍ଥିର କରିଛୁ ଯେ ବସୁନ୍ଧରା ରାଜେଙ୍କ ସମର୍ଥନରେ ପୂରା ରାଜସ୍ଥାନରେ ଜନ ସମର୍ଥନ  ଯୋଗାଡ କରାଯିବ।

ସମସ୍ତ  ଜିଲ୍ଲାରେ ବସୁନ୍ଧରା ସମର୍ଥକ ସଂଗଠନ ଗଠନ କରିବା ଉପରେ ରାଜ୍ୟ ବିଜେପି ସଭାପତି ସତୀଶ ପୁନିଆ କହିଛନ୍ତି, ଏହାର ସୂଚନା ବିଜେପିର ସମସ୍ତ ନେତାଙ୍କ ପାଖରେ ରହିଛି।  ଯେଉଁ  ଲୋକ ଏହି ସଂଗଠନରେ କାମ କରୁଛନ୍ତି ସେମାନେ ବିଜେପିର ସକ୍ରିୟ ସଦସ୍ୟ ନୁହନ୍ତି। ବିଜେପି ବ୍ୟକ୍ତି ଆଧାରିତ ପାର୍ଟି ନୁହେଁ, ଏହା ସଂଗଠନ ଆଧାରିତ ପାର୍ଟି ବୋଲି ପୁନିଆ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.