ରିପୋର୍ଟ ଆସିବା ପୂର୍ବରୁ ପରିଜନଙ୍କୁ ଧରାଇ ଦେଲେ ଶବ, ବିପଦରେ ୫୦୦ ଲୋକ

Published By : Prameya-News7 Bureau | June 07, 2020 IST

ମୁମ୍ବାଇ ୦୭।୦୬: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ଭସାଇ ଅଞ୍ଚଳରେ ଏକ ଘରୋଇ  ହସ୍ପିଟାଲ କରୋନା ଯାଞ୍ଚ ରିପୋର୍ଟକୁ ଅପେକ୍ଷା ନକରି ଶବକୁ ପରିଜନଙ୍କୁ ହସ୍ତାନ୍ତର କରି ଦେଲେ। ଏହା ପରେ ପରିଜନଙ୍କ ଶତାଧିକ ଲୋକଙ୍କ ଉପସ୍ଥିତିରେ ରୋଗୀଙ୍କ ଅନ୍ତିମ ସଂସ୍କାର କରି ଦେଲେ। ଏବେ ହସ୍ପିଟାଲରୁ ଖବର ଆସିଲା ଯେ, ମୃତକ କରୋନା ଭୂତାଣୁରେ ସଂକ୍ରମିତ ଥିଲେ।

ଏହି ଖବର ଶୁଣିବା ମାତ୍ରେ ପରିବାର ଲୋକ ଏବଂ ସଂପର୍କୀୟଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରଶାସନକୁ ଯେମିତି ଏହାର ଖବର ମିଳିଲା, ତୁରନ୍ତ ଅଧିକ ବିପଦ ଥିବା ୪୦ ଜଣଙ୍କୁ ଚିହ୍ନଟ କରି କ୍ଵାରେଣ୍ଟାଇନ୍‌ କରାଯାଇଛି। ପରିବାର ଲୋକ  ହସ୍ପିଟାଲ ବିରୋଧରେ ଅବହେଳାର ଅଭିଯୋଗ କରି କହିଛନ୍ତି ଯେ, କରୋନା ରିପୋର୍ଟ ନଆସିବା ପୂର୍ବରୁ ଆମକୁ ମୃତଶରୀର ହସ୍ତାନ୍ତର କରି ଦିଆଗଲା। ଲିଭର କାମ କରୁ ନଥିବାରୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏମିତି ଭାବି ପରିବାର ଲୋକ ସଂପର୍କୀୟ ଓ ପ୍ରାୟ ୫୦୦ ଲୋକଙ୍କ ଉପସ୍ଥିତିରେ ମୃତକଙ୍କ ଅନ୍ତିମ ସଂସ୍କାର କରି ଦେଲେ। ଏବେ ଏହି ୫୦୦ ଲୋକଙ୍କ ଉପରେ କରୋନା ସଂକ୍ରମଣର ବିପଦ ଘାରିଛି।

କଣ ରହିଛି ନିୟମ

ମହାମାରୀ ନିୟମ ଅନୁଯାୟୀ ହସ୍ପିଟାଲରେ ମୃତ କୌଣସି ବି ରୋଗୀଙ୍କ ପ୍ରଥମେ କରୋନା ଟେଷ୍ଟ କରାଯିବ, ରିପୋର୍ଟ ଆସିବା ପରେ ଶବ ପରିଜନଙ୍କୁ ହସ୍ତାନ୍ତର କରାଯିବ। ଏହି ଅନୁଯାୟୀ ପରିଜନ ମୃତକଙ୍କ ଅନ୍ତିମ ସଂସ୍କାର ଲାଗି ବ୍ୟବସ୍ଥା କରି ପାରିବେ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରି ପାରିବେ।

ସ୍ଥାନୀୟ ଅଧିକାରୀ କହିଛନ୍ତି, ଅରନାଲାର ୫୫ ବର୍ଷୀୟ ରୋଗୀଙ୍କ ଲିଭର ସମସ୍ୟା ପରେ ଓ୍ଵସଇର କାର୍ଡିନାଲ ଗ୍ରୋସିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କର ଶବକୁ କରୋନା ଟେଷ୍ଟ ଲାଗି ନିଆଯାଇଥିଲା। ହେଲେ ରିପୋର୍ଟ ଆସିବା ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷ ଶବକୁ ପରିଜନ ହାତକୁ ହସ୍ତାନ୍ତର କରି ଦେଲେ। ପରିଜନ ମୃତ ଶରୀର ଧରି ଅରନାଲା ଗାଁ ପହଞ୍ଚିଥିଲେ। ଏହା ପରେ ମଶାଣିରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏହାର ଖବର ଶୁଣିବା ମାତ୍ରେ ଆମେ ଗାଁରେ ପହଞ୍ଚି ଅଧିକ ବିପଦ ରହିଥିବା ୪୦ ଜଣଙ୍କୁ ଚିହ୍ନଟ କରି କ୍ଵାରେଣ୍ଟାଇନ୍‌ରେ ରଖିଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.