ମୁମ୍ବାଇରେ ଫେବୃଆରୀ ୨ରେ ହେବ ବରୁଣ-ନତାଶାଙ୍କ ଗ୍ରାଣ୍ଡ ରିସେପ୍ସନ
25/01/2021 at 3:08 PM

ମୁମ୍ବାଇ ୨୫/୦୧ : ବରୁଣ ଧୱନ ଓ ନତାଶା ଦଲାଲ ଜାନୁଆରୀ ୨୪ ତାରିଖରେ ସାତ ଫେରା ନେଇଛନ୍ତି। ଅନେକ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା। ଶେଷ ବରୁଣ ନତାଶାଙ୍କୁ ବିବାହ କରି ଆଜୀବନ ଜୀବନସାଥି ହୋଇଛନ୍ତି। ଆଲିବଗ ସ୍ଥିତ ‘ଦ ମେନସନ ହାଉସ’ରେ ଧୂମଧାମରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। କରୋନା ମହାମାରୀ ଯୋଗୁଁ ଧୱନ ଓ ଦଲାଲ ପରିବାର ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରିନଥିଲେ। ତେବେ ଖୁବ ଶୀଘ୍ର ବରୁଣ ନତାଶାଙ୍କ ରିସେପ୍ସନ ପାର୍ଟି ହେବାର ଅଛି।
ଆଲିବଗରେ ବାହାଘର ପରେ ମୁମ୍ବାଇରେ ରୟାଲ ରିସେପ୍ସନ ହେବାର ଅଛି। ବମ୍ବେ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ବଲିଉଡ ସେଲିବ୍ରିଟିଙ୍କ ପାଇଁ ଫେବୃଆରୀ ୨ ତାରିଖରେ ରିସେପ୍ସନ ରଖାଯାଇଛି। ଏହି ରିସେପ୍ସନରେ ବଲିଉଡର ତମାମ ଜଣାଶୁଣା ସେଲିବ୍ରିଟି ସାମିଲ ହେବେ।

ଏହା ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ବରୁଣ-ନତାଶାଙ୍କ ବାହାଘର ରିସେପ୍ସନ ଜାନୁଆରୀ ୨୬ ତାରିଖରେ ହେବ। କିନ୍ତୁ ୨୬ ତାରିଖରେ ଗଣତନ୍ତ୍ର ଦିବସ ଥିବାରୁ ରିସେପ୍ସନ ୨ ତାରିଖରେ ରଖାଯାଇଛି।
ସୂଚନା ଅନୁଯାୟୀ, ବରୁଣ ନତାଶା ପୂର୍ବରୁ ଡେଷ୍ଟିନେସନ ୱେଡିଙ୍ଗ ପ୍ଲାନ କରିଥିଲେ। କିନ୍ତୁ କରୋନା ଯୋଗୁଁ ସବୁ ପ୍ଲାନ ବଦଳାଇ ଦେଇଥିଲେ। ଏହାପରେ ଦୁହେଁ ଆଲିବଗରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।