Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ଫୋନି ଉଜାଡି ଦେଲା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ; ପୁରୀ, କୋଣାର୍କ, ଚିଲିକା ଭଳି ପର୍ଯ୍ୟଟନସ୍ଥଳୀ କ୍ଷତିଗ୍ରସ୍ତ

10/05/2019 at 11:50 AM

ଭୁବନେଶ୍ବର ୧୦|୫: ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବାତ୍ୟା ଫୋନି ଉଜାଡି ଦେଇଛି । ବିଶେଷକରି ଉପକୂଳ ଓଡ଼ିଶାର ପୁରୀ, କୋଣାର୍କ, ଚିଲିକା, ନନ୍ଦନକାନନ ଭଳି ବଡବଡ ପର୍ଯ୍ୟଟନ ସ୍ଥଳୀ ପ୍ରଳୟଙ୍କାରୀ ଫୋନି ଯୋଗୁଁ ଏବେ ଛାରଖାର । ତେଣୁ ପର୍ଯ୍ୟଟକ ଆଉ ଆସିବା କଷ୍ଟକର ହୋଇଥିବାବେଳେ ଯେଉଁ କେତେଜଣ ଓଡିଶାକୁ ବୁଲିବାକୁ ଆସିବାକୁ ଆଗରୁ ବୁକିଂ କରିଥିଲେ ସେମାନେ କ୍ୟାନସଲ୍‌ କରିଦେଉଛନ୍ତି । ଆଉ ଏବେ ଏହି ଅଞ୍ଚଳର ଅବସ୍ଥା ଯାହା ରାଜ୍ୟ ଭିତରର ପର୍ଯ୍ୟଟକ ବି ଏହି ସ୍ଥାନକୁ ଏବେ ଆସିବା ଭଲି ସ୍ଥିତି ନାହିଁ ।

ଫୋନି ଉଜାଡି ଦେଲା ସବୁକିଛି । ଚାଷ, ଶିଳ୍ପ, ବ୍ୟବସାୟ ବେଉଷା ଉଜାଡି ଦେଇଥିବା ବେଳେ ଏବେ ପର୍ଯ୍ୟଟନ ଶିଳ୍ପ ଘୋର ଭାବେ ପ୍ରଭାବିତ ହୋଇଛି । ବିଶେଷକରି ପୁରୀ, କୋଣାର୍କ, ଚନ୍ଦ୍ରଭାଗା, ନନ୍ଦନକାନନ, ଖଣ୍ଡିଗିରି ଏବଂ ଉଦୟଗିରି, ଧଉଳି, ଚିଲିକା ଭଳି ପର୍ଯ୍ୟଟନସ୍ଥଳୀ ଛାରଖାର ହୋଇଯାଇଛି । ଏ ହେଉଛି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଖପାଖ ଅଞ୍ଚଳର ପରିବେଶ । ଫୋନିର ଆଁରେ ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଏବଂ ତାର ଆଖପାଖ ଅଞ୍ଚଳ ଛିନଛତ୍ର ହୋଇଯାଇଛି । ପୂର୍ବଭଳି ମନ୍ଦିର ସେମିତି ଛିଡ଼ା ହୋଇଛି, ହେଲେ ଏହା ଚାରିପାଖର ସୌନ୍ଦର୍ଯ୍ୟ ମାଟିରେ ମିଶିଯାଇଛି । କୋଣାର୍କ ମନ୍ଦିର ଫାଟକରେ ତାଲା ପଡିଛି । ତେଣୁ ଯେଉଁ ପର୍ଯ୍ୟଟକ ଆସୁଛନ୍ତି ସେମାନେ ବି ନିରାଶରେ ଫେରୁଛନ୍ତି । ସେହିଭଲି ମେରାଇନ୍ ଡ୍ରାଇଭ୍ ପାଲଟିଯାଇଛି ପୁରା ମରୁଭୂମି ।

ଆଉ ଏ ହେଉଛି ଶାନ୍ତିସ୍ତୁପ ଧଉଳିର ଦୃଶ୍ୟ । ପାହାଡ ପାଦଦେଶରୁ ଉପର ପର୍ଯ୍ୟନ୍ତ ସବୁ କିଛି ଛାରଖାର । ଗଛ ନାହିଁ କି ସବୁଜିମା ନାହିଁ । ଭାଙ୍ଗିରୁଜି ଯାଇଛି ମେସିନ୍ ତେଣୁ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ବନ୍ଦ ପଡିଛି । ଗଛ ପଡି ଅଧିକାଂଶ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଯାଇଛି । ପାହାଡ ଉପରେ ମୁଖ୍ୟ ଧଉଳି ଶାନ୍ତିସ୍ତୂପକୁ ଛାଡିଦେଲେ ଆଉ କିଛି ନାହିଁ । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ଏହି ପର୍ଯ୍ୟଟନସ୍ଥଳି ଏବେ ଖାଁ ଖାଁ । ଦୋକାନ ବଜାର ବି ପବନରେ ଉଡିଯାଇଛି । ଧଉଳି ହସ୍ତଶିଳ୍ପ ବଜାର ବି ଛାରଖାର ହୋଇଯାଇଛି । ସେହି ସମାନ ଅବସ୍ଥା ଖଣ୍ଡଗିରି, ଉଦୟଗିରିର । ଫୋନି ମାଡରେ ସବୁକିଚି ଛାରଖାର । ଭାଙ୍ଗି ପଡିଥିବା ଗଛ ଗୁଡିକୁ ଏଯାଏ ସଫା କରାଯାଇନି । ପୂରା ଖାଁ ଖାଁ ଖଣ୍ଡଗିରି ଉଦୟଗିରି ପାହାଡ । ଯେଉଁଠିକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସୁଥିଲେ ସେଠିକୁ କାଁ ଭାଁ ପର୍ଯ୍ୟଟକ ବୁଲି ଆସୁଛନ୍ତି ।

କେବଳ ସେତିକି ନୁହେଁ । ଧଳା ବାଘ ପାଇଁ ବିଶ୍ବ ପ୍ରସିଦ୍ଧ ନନ୍ଦନକାନନ ଏବେ ବନ୍ଦ । ଗଛପତ୍ର ଭରା ସବୁଜିମା ଉଜୁଡ଼ି ଯାଇଛି । ବର୍ଷ ବର୍ଷର ପୁରୁଣା ଗଛ ସବୁ ଭୁଇଁରେ ଲୋଟିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ନନ୍ଦନକାନନ ଯାହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଥିଲା ତାହା ଆଜି ଶ୍ରୀହିନ ହୋଇପଡ଼ିଛି । ସୌଭାଗ୍ୟ ବସତଃ ଜୀବଜନ୍ତୁ ସବୁ ବଞ୍ଚି ରହିଥିବା ବେଳେ ସେମାନଙ୍କ ସହଜ ଜୀବନ ପାଇଁ ଯେଉଁ ପରିବେଶ ତିଆରି କରାଯାଇଥିଲା ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଦ୍ବାରା ଭରପୂର ନନ୍ଦନକାନନ ଏବେ ବନ୍ଦ ପଡିଛି । କେବେ ଖୋଲିବ ତାହା କହିବା ମୁସ୍କିଲ୍‌ ।  

ବିଶ୍ବପ୍ରସିଦ୍ଧ ପୁରୀ ସହରର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଗକୁ ରହିଛି ରଥଯାତ୍ରା । ଖରାଦିନେ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏବେ ସେମାନଙ୍କର ବୁକିଂ କ୍ୟାନସଲ୍‌ କରୁଛନ୍ତି । ସେହିପରି ଚିଲିକାର ସାତପଡା, ବାଲୁଗାଁ, କାଳିଯାଇ, ନଳବଣ ଆଦି ପର୍ଯ୍ୟଟନସ୍ଥଳୀ ବ୍ୟାପକ ପ୍ରଭାବିତ ହୋଇଥିବାରୁ ରାଜ୍ୟ ପର୍ଯ୍ୟଟନ ଶିଳ୍ପର ଅଣ୍ଟା ସଂପୂର୍ଣ୍ଣ ଭାଙ୍ଗିଯାଇଛି ।

   Related Posts