ପ୍ରଭୁ ଶ୍ରୀରାମଙ୍କ ବିରାଟ ମୂର୍ତ୍ତୀ ପ୍ରତିଷ୍ଠାକୁ ବିରୋଧ କରନ୍ତି ସନ୍ଥ : କାହିଁକି ରାମ ଭକ୍ତଙ୍କ ଯୁକ୍ତି ?
28/11/2018 at 5:17 PM

ଅଯୋଧ୍ୟା ୨୮|୧୧: ମୂର୍ତ୍ତୀ- ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଏବେ ଦେଶର ରାଜନୀତି ବେଶ୍ ଉଷ୍ମ । ଏପରି ବେଳେ ବାରଣାସୀ ଧର୍ମ ସଂସଦରେ ସନ୍ଥ ମାନଙ୍କ ଦ୍ୱାରା ଗୃହୀତ ଏକ ପ୍ରସ୍ତାବ ଉଦାହରଣ ସୃଷ୍ଟି କରିଥିବା କହିଲେ ଭୁଲ ହେବନି । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ବିଶାଳ ମୂର୍ତ୍ତୀ ପ୍ରତିଷ୍ଠା ପ୍ରସ୍ତାବରେ ଏକମତ ହୋଇନାହାନ୍ତି ସନ୍ଥମାନେ । ଏପରିକି ବାରଣାସୀ ଧର୍ମ ସଂସଦରେ ପ୍ରଭୁ ଶ୍ରୀରାମଙ୍କ ଏପରି ମୂର୍ତ୍ତୀ ପ୍ରତିଷ୍ଠା ନିଷ୍ପତ୍ତିକୁ ନିନ୍ଦା କରି ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର୨୧୧ ମିଟର ଉଚ୍ଚ ଏକ ବିଶାଳ ମୂର୍ତ୍ତୀ ପ୍ରତିଷ୍ଠା ଲାଗି ନିଷ୍ପତ୍ତି କରିଛନ୍ତି ।
ରାଜ୍ୟସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛି ବିଜେପି । ଯୁକ୍ତି ବାଢିଛି, ଏପରି ବିଶାଳ ମୂର୍ତ୍ତୀ ପ୍ରତିଷ୍ଠା ଦ୍ବାରା ଉତ୍ତରପ୍ରଦେଶ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇବ । କିନ୍ତୁ ବାରଣାସୀରେ ଗତ ସୋମବାର ଏକାଠି ହୋଇଥିବା ଦେଶର ପ୍ରାୟ ହଜାରେ ସାଧୁ ସନ୍ଥ ଏପରି ଯୁକ୍ତିକୁ ଗ୍ରହଣ କରିପାରନ୍ତିନି । ମନ୍ଦିର ବାହାରେ ବିରାଟ ମୂର୍ତ୍ତୀ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମଙ୍କୁ ଅବଜ୍ଞା ସହ ସମାନ ବୋଲି ସାଧୁ ସନ୍ଥ ମାନେ ମତ ଦେିଛନ୍ତି । ସେମାନଙ୍କ କହିବା କଥା ହେଲା, ଭଗବାନଙ୍କୁ ପୂଜା ଆରାଧାନା କରାଯାଏ, ତାଙ୍କୁ ଶୋକେସ୍ ବା ଦର୍ଶନୀୟ ବସ୍ତୁ ଭଳି ବ୍ୟବହାର କରାଯିବା ଅନୁଚିତ।
ଦ୍ବାରିକାପୀଠର ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦ୍ବାରା ବାରଣାସୀରେ ଏହି ତିନି ଦିନିଆ ଧର୍ମ ସଂସଦ ଅନୁଷ୍ଠିତ ହେଉଛି । ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଦାବିକୁ ପୁନଃ ଉପସ୍ଥାପନ କରିବା ଲାଗି ବିଶ୍ବହିନ୍ଦୁ ପରିଷଦ ସେଠାରେ ଧର୍ମସଭା କରିବା ପରେ ପରେ ପରେ ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ସରସ୍ବତୀ ଏପରି ଧର୍ମ ସଂସଦର ଆୟୋଜନ କରିଛନ୍ତି । ସଂସଦ କାର୍ଯ୍ୟକ୍ରମଶେଷରେ ଏକ ଧର୍ମାଦେଶ ଜାରି ହେବ ବୋଲି ଜଣାଯାଇଛି ।