ଭାଷା ପାଇଁ ଭଙ୍ଗାରୁଜା: ଆମାଜନ୍ ଗୋଦାମରେ ପଶିଲେ, ଦାମୀ ଜିନିଷପତ୍ର ଭାଙ୍ଗି ଗୁଣ୍ଡ କରିଦେଲେ
26/12/2020 at 5:33 PM

ମୁମ୍ବାଇ ୨୬/୧୨: ଭାଷା ପାଇଁ ଭାଙ୍ଗିଦେଲେ। ଆମାଜନ୍ ମରାଠୀ ଭାଷାର ବ୍ୟବହାର କରୁନଥିବା ନେଇ ଅଭିଯୋଗ କରି ଗୋଦାମ ଘରେ ଥିବା ଜିନିଷ ନଷ୍ଟ କଲେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍) କାର୍ଯ୍ୟକର୍ତ୍ତା। ମରୋଲ ଓ ପୁନେରେ ଥିବା ଆମାଜନ ଗୋଦାମରେ ପଶି ଭଙ୍ଗାରୁଜା କରିଛନ୍ତି ଏମଏନଏସ୍ କାର୍ଯ୍ୟକର୍ତ୍ତା। ଏଥିପାଇଁ ନିଜକୁ ଦାୟୀ ମଧ୍ୟ କରିଛନ୍ତି ପୁନେର ଜଣେ ଏମଏନଏସ୍ ନେତା।
ଠିକ୍ ଏମିତି ଏକ ଘଟଣା ବସାଇରେ ଘଟିଥିବା ବି ପୋଲିସ କହିଛି। ଆମାଜନ୍ ନିଜ ପୋଷ୍ଟର ଓ ଆପ୍ରେ ମରାଠୀ ଭାଷା ଉଲ୍ଲେଖ କରିନଥିବାରୁ ଏମଏନଏସ୍ ନେତା ଏହାକୁ ଟାର୍ଗେଟ କରିଥିଲେ ବୋଲି ଜଣାପଡ଼ିଛି। ମୁମ୍ବାଇର ମରୋଲ୍ରେ ଦିନ ୧.୪୫ରେ ଘଟଣା ଘଟିଥିବା ବେଳେ ଗୋଦାମରେ ପଶି ଏଲଇଡି ଟିଭି, ଗ୍ଲାସ୍, ଲାପଟପ୍, ପ୍ରିଣ୍ଟର ଆଦି ଭାଙ୍ଗିଛନ୍ତି ଏମଏନଏସ୍ କାର୍ଯ୍ୟକର୍ତ୍ତା।
ମିଳିଥିବା ସୂଚନା ଅନୁସାରେ ୧୦ ଲୋକ ଗୋଦାମରେ ପଶି ଭଙ୍ଗାରୁଜୁା କରିଛନ୍ତି। ଆମାଜନ ପକ୍ଷରୁ ଥାନାରେ ଏତଲା ଦେବା ପରେ ପୋଲିସ ୮ ଜଣଙ୍କୁ ଚିହ୍ନଟ କରିଥିବା ବେଳେ କାହାକୁ ଗିରଫ କରିନାହିଁ। ତେବେ ଗୋଦାମରେ ପଶି ଭଙ୍ଗାରୁଜା କରୁଥିବା ବେଳେ ନୋ ମରାଠୀ, ନୋ ଆମାଜନ ନାରା ଦେଉଥିଲେ ବୋଲି ଆମାଜନର ଜଣେ ଅଧିକାରୀ କହିଛନ୍ତି।
ଅନ୍ୟ ପଟେ ଯଦି କମ୍ପାନୀ ନିଜ ଆପ୍ରେ ମରାଠୀ ପାଇଁ ଅପ୍ସନ ନଦିଏ ତେବେ ଦଳ ମହାରାଷ୍ଟ୍ରରେ ଆମାଜନର ପ୍ରବେଶ କରାଇ ଦେବେନାହିଁ ବୋଲି ଜଣେ ଏମଏନଏସ୍ ନେତା ଅମିତ ଜଗତାପ କହିଛନ୍ତି। ବସାଇରେ ଥିବା ଆମାଜନ ଗୋଦାମରେ ଭଙ୍ଗାରୁଜା ବେଳର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।