ହାଥରସ ଘଟଣାରେ ୫୦ ଦଳିତ ପରିବାର ବଦଳାଇଲେ ଧର୍ମ, ନେଲେ ବୌଦ୍ଧ ଦୀକ୍ଷା

Published By : Prameya-News7 Bureau | October 21, 2020 IST

ହାଥରସ ୨୧/୧୦:  ଗାଜିଆବାଦରେ ହାଥରସ କାଣ୍ଡରେ ମର୍ମାହତ ବାଲ୍ମିକୀ ସମ୍ପ୍ରଦାୟର ୫୦ ପରିବାରର ୨୩୬ ଜଣ ଲୋକ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି। ଏ ଘଟଣା ଗାଜିଆବାଦର କରହେଡା ଇଲାକାର। ଅକ୍ଟୋବର ୧୪ରେ ବାଲ୍ମିକୀ ସମ୍ପ୍ରଦାୟର ୨୩୬ ଜଣ ଏକଜୁଟ ହେଲେ ରାଜରତ୍ନ ଆମ୍ବେଦକରଙ୍କ ଉପସ୍ଥିତିରେ ବୌଦ୍ଧ ଦୀକ୍ଷା ନେଇଛନ୍ତି।

ଏମାନଙ୍କ ଅଭିଯୋଗ ହାଥରସ ଘଟଣାରେ ଏମାନେ ଖୁବ୍ ଅଧିକ ମର୍ମାହତ। ଆର୍ଥିକ ସମସ୍ୟା ଦେଇ ଗତି କଲେ ମଧ୍ୟ ଏମାନଙ୍କର ଶୁଣାଣି କେଉଁଠି ବି ହେଉ ନାହିଁ। ପ୍ରତ୍ୟେକ ସ୍ଥାନରେ ସେମାନଙ୍କୁ ଅଣଦେଖା କରାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଅକ୍ଟୋବର ୧୪ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ରାଜରତ୍ନ ବୌଦ୍ଧ ଧର୍ମ ଦୀକ୍ଷା ଏମାନଙ୍କୁ ଦେଉଛନ୍ତି। ଏତତବ୍ୟତୀତ ସେମାନଙ୍କୁ ଭାରତୀୟ ବୌଦ୍ଧ ମହାସଭା ପକ୍ଷରୁ ଏକ ପ୍ରମାଣପତ୍ର ମଧ୍ୟ ଜାରି କରାଯାଇଛି।

ଧର୍ମ ପରିବର୍ତନ କରିଥିବା ବାଲେ ବୀର ସିଂହ କହିଛନ୍ତି ଗାଁରୁ ୫୦ ଦଳିତ ପରିବାରର ୨୩୬ ଜଣ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି। ଏଥିରେ ମହିଳା ଓ ପିଲାମାନେ ମଧ୍ୟ ସାମିଲ ଅଛନ୍ତି। ଏ ପାଇଁ କୌଣସି ଫି’ ନିଆଯାଇ ନାହିଁ। କେବଳ ଧର୍ମ ଗ୍ରହଣ କରିଥିବାରୁ ସେମାନଙ୍କୁ ସମାଜସେବା ଭଳି ଭଲ କାମ କରିବାକୁ କୁହାଯାଇଛି।

ଉଲ୍ଲେଖନୀୟ ସେପ୍ଟେମ୍ବର ୧୪ରେ ହାଥରସର ବୁଲଗଢ଼ି ଗାଁରେ ଯବୁତୀଙ୍କୁ ଗଣଦୁଷ୍କର୍ମ ଘଟଣା ଯୋଗୁ ଦଳିତ ସମ୍ପ୍ରଦାୟ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିଲେ ଓ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ତେବେ ମାମଲାର ତଦନ୍ତ ଏ​‌ବେ ସିବିଆଇ କରୁଥିବା ବେଳେ ଚାରିଜଣ ଅଭିଯୁକ୍ତ ଅଲିଗଡ଼ ଜେଲରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.