ବାଜପେୟୀଙ୍କ ଅବସ୍ଥା ଗୁରୁତର:ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ
16/08/2018 at 8:19 AM

ନୂଆଦିଲ୍ଲୀ୧୬/୮: ‘କ୍ୟା ହାର୍ ମେ,କ୍ୟା ଜିତ୍ ମେ
କିଞ୍ଚିତ୍ ନେହିଁ ଭୟଭୀତ ମେ
କର୍ତ୍ତବ୍ୟ ପଥ୍ ପର୍ ଜୋ ଭି ମିଲା
ୟହ ଭି ସହି ଓ୍ବ ଭି ସହି
ବରଦାନ ନେହିଁ ମାଙ୍ଗୁଙ୍ଗା
ହୋ କୁଛ ପର୍ ହାର ନେହିଁ ମାନୁଙ୍ଗା’
କେବେ ଜୀବନରେ ହାର ମାନି ନଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ୯୩ ବର୍ଷ ବୟସର ଦୀର୍ଘ ଘଟଣା ବହୁଳ ଜୀବନ ଏବେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଲାଇଫ୍ ସପୋର୍ଟିଂ ସିଷ୍ଟମରେ ଏମ୍ସର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ବାଜପେୟୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି। ବାଜପେୟୀଙ୍କ ଆଶୁ ଆରୋଗ୍ୟ କାମନା କରି ସମଗ୍ର ଦେଶରେ ପୂଜାର୍ଚ୍ଚନା ଚାଲିଛି।ଏମ୍ସରେ ବହୁ ବରିଷ୍ଠ ନେତା ପହଞ୍ଚି ବାଜପେୟୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ସମୟରେ ତାଙ୍କ ସ୍ବାସ୍ଥ୍ୟ ଖବର ବୁଝୁଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ଏମ୍ସ ଯାଇଛନ୍ତି। ସୂଚନାଯୋଗ୍ୟ ଯେ,ବାଜପେୟୀ ଦ୍ବିତୀୟଥର ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ। ବାଜପେୟୀଙ୍କ ପ୍ରୋତ୍ସାହନରେ ହିଁ ରାଜ୍ୟରେ ବିଜେଡ଼ି-ବିଜେପି ମେଣ୍ଟ ସରକାର ଦୀର୍ଘ ୯ ବର୍ଷ ଧରି ଚାଲିଥିଲା।
ଏମ୍ସ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ବୁଲେଟିନ୍ରେ ବାଜପେୟୀଙ୍କ ସ୍ବାସ୍ଥ୍ୟରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇନଥିବା କୁହାଯାଇଛି। ଗତ ଜୁନ୍ ମାସ ୧୧ ତାରିଖରୁ ସେ ସ୍ବାସ୍ଥ୍ୟଗତ କାରଣରୁ ଏମ୍ସରେ ଭର୍ତ୍ତି ହୋଇଥିଲେ। ତେବେ ଗତକାଲିଠାରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିବାରେ ଲାଗିଛି।