ଆଜି ହେବ ବାଜପେୟୀଙ୍କ ଅନ୍ତିମ ସଂସ୍କାର
17/08/2018 at 5:57 AM

ନିଘୋଡ଼ ନିଦ୍ରାରେ ଶୋଇପଡ଼ିଛନ୍ତି କୋଟି କୋଟି ଭାରତୀୟଙ୍କ ପ୍ରିୟ ନେତା ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀ। ରାତିରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ଜନତା ଏବଂ ରାଜନେତାମାନେ।ଆଜି ସକାଳେ ମଧ୍ୟ ତାଙ୍କୁ ଦେଖିବା ଲାଗି ତାଙ୍କ ବାସଭବନରେ ବହୁ ସଂଖ୍ୟକ ଜନତାଙ୍କ ଭିଡ଼ ଲାଗି ରହିଥିଲା। ଏହାପରେ ତାଙ୍କ ମର ଶରୀରକୁ ବିଜେପି କାର୍ଯ୍ୟାଳୟ ଅଭିମୁଖେ ନିଆଯାଇଛି। ସେଠାରୁ ସାଢ଼େ ଗୋଟାଏ ବେଳେ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହେବ। ଅପରାହ୍ନ ୪ଟାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ବାଜପେୟୀଙ୍କ ବିୟୋଗ କୋଟି କୋଟି ଭାରତୀୟଙ୍କୁ ମର୍ମାହତ କରିଛି।
ଦେଶ ଜଣେ ମହାନ୍ ବ୍ୟକ୍ତିଙ୍କୁ ହରାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ସନ୍ଧ୍ୟା ୫ଟା ୫ମିନିଟରେ ବାଜପେୟୀଙ୍କ ବିୟୋଗ ହୋଇଥିଲା।
ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ରାଜ୍ୟ ସରକାର ଆଜି ସରକାରୀ ଛୁଟି ଘୋଷଣା କରିଛନ୍ତି। ଏଥି ସହିତ ଗତକାଲିଠାରୁ ୭ଦିନ ଯାଏଁ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି। ୭ଦିନ ଧରି ରାଜ୍ୟର ସମସ୍ତ କୋଠାବାଡ଼ିରେ ଜାତୀୟ ପତାକା ଅର୍ଧନମିତ ରହିବ। କୈାଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ। ନିର୍ଦ୍ଦେଶ ଅନୁଯାୟୀ ଆଜି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।